Unknown

 

 

 

 

 

 

 

 

 

କଥା ଓ ଗାଥା

ପ୍ରଥମ ଭାଗ

 

ରାଧାମୋହନ ଗଡ଼ନାୟକ

 

 

 

 

 

କୃତଜ୍ଞତା

 

‘‘କଥା ଓ ଗାଥା’ ର ସଂପାଦନାରେ ଯେଉଁ ସହୃଦୟ କବିମାନେ ନିଜ ନିଜ କବିତାର ପ୍ରକାଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ମୁଁ ସେମାନଙ୍କୁ ମୋର ହୃଦୟର କୃତଜ୍ଞତା ଜ୍ଞାପନ କରୁଅଛି ।

 

ସମ୍ପାଦକ

Image

 

ସୂଚୀପତ୍ର

 

୧.

ପଦ୍ମାବତୀ-ପରିଣୟ

 

ନନ୍ଦକିଶୋର ବଳ ବି.ଏ.

୨.

କାଳୀଜାଇ

 

ପଣ୍ଡିତ ଗୋଦାବରୀଶ ମିଶ୍ର ଏମ୍.ଏ.

୩.

ହରିଜନ

 

ବୈକୁଣ୍ଠନାଥ ପଟ୍ଟନାୟକ ଏମ୍.ଏ.

୪.

ନରବଳି

 

କାଳନ୍ଦୀ ଚରଣ ପାଣିଗ୍ରହୀ ବି.ଏ.

୫.

ଓଡ଼ିୟା ପଖାଳ ଭାତ

 

ବୈଷ୍ଣବ ଚରଣ ଦାସ ଏମ୍.ଏ.

୬.

ନାପିତୁଣୀର ଗାନ୍ଧୀପୁଜା

 

ଡକ୍ଟର ମାୟାଧର ମାନସିଂହ ଏମ୍.ଏ.

୭.

ମରି ନାହିଁ ସେ ତ ମରଣ-ଜୟୀ

 

ରାଧାମୋହନ ଗଡ଼ନାୟକ

୮.

ପାଇକ-ବିଦ୍ରୋହ

 

ଜ୍ଞାନୀନ୍ଦ୍ର ବର୍ମା

୯.

ସାଧବ ଝିଅର ଗୋଟିଏ କଥା

 

ବିନୋଦ ଚନ୍ଦ୍ର ନାୟକ ଏମ୍.ଏ.

୧୦.

ବାଜି ରାଉତର ମାଆ

 

ଅନନ୍ତ ପଟ୍ଟନାୟକ ବି.ଏ.

୧୧.

ପୀର୍‌ଆଲୀ

 

କୁଞ୍ଜବିହାରୀ ଦାଶ ଏମ୍.ଏ.

୧୨.

ବୀରମାତା

 

କ୍ଷିତୀଶ ଚନ୍ଦ୍ର ଦେ ଏମ୍.ଏ.

Image

 

ପଦ୍ମାବତୀ-ପରିଣୟ

(ନନ୍ଦକିଶୋର ବଳ)

 

(୧)

କାଞ୍ଚି-ନୃପତି ଉତ୍କଳ-ନୃପେ

କରିଅଛି ଅବମାନନା,

ସମର-ସଜ୍ଜା ଲାଗିଛି ଉତ୍କଳେ

ବାଜୁଛି ଯୁଦ୍ଧ-ବାଜଣା ।

ନଗର ନଗର ବୁଲିଣ ଡଗର

କରଇ ସମର ଘୋଷଣା,

ଦୁର୍ଗେ ଦୁର୍ଗେ ଅର୍ପଇ ଦୂତ

ସାମନ୍ତ ଗଣଙ୍କୁ ଅର୍ଚ୍ଚନା ।

ପଲ୍ଲୀ ପଲ୍ଲୀ ବୁଲିଣ ପ୍ରଧାନ

ହକାରେ ପାଇକ-ବାହିନୀ

ଡିମ୍ ଡିମ୍ ବାଜେ ଘୋଷଣା-ଡିଣ୍ଡିମ

ରକ୍ତେ ନଚାଇ ଧମନୀ ।

କାଞ୍ଚି-ନୃପତି ଉତ୍କଳ-ନୃପେ

କରିଅଛି ଅବମାନନା

ସମର-ସଜ୍ଜା ଲାଗିଛି ଉତ୍କଳ

ବାଜୁଛି ସଂଗ୍ରାମ-ବାଜଣା ।

(୨)

ଖଣ୍ଡା ଘେନିଣ ଖଣ୍ଡାୟତ ଗଣ

ଉନ୍ନତ୍ତ ବୀର ଗୌରବେ;

ଚଣ୍ଡୀ ପୂଜିଣ ବୀର-ବାମାଗଣ

ହୁଳ ହୁଳି ଦେଲେ ସରବେ ।

ଅସ୍ତ୍ର ଝଣ ଝଣ ହସ୍ତି-ବୃଂହଣ

ଅଶ୍ୱର ହ୍ରେଷା ଚହଳ,

ଢାଲ ତରୁଆଳ ନରମୁଣ୍ଡ ମାଳ

ଟପି ଉଡ଼େ ଧୂଳି ପଟଳ ।

ଛତ୍ର ତରାସ ଟପି ଧ୍ୱଜାବଳୀ

ଫର୍ଫର ଉଡ଼େ ପବନେ,

‘ଜୟ ଜଗନ୍ନାଥ’ ଗୁରୁ ଗର୍ଜନ

ଗ୍ରାସଇ ସିନ୍ଧୁଗର୍ଜନେ

କାଞ୍ଚି-ନୃପତି ଉତ୍କଳ-ନୃପେ

କରିଅଛି ଅବମାନନା

 

କରୁଛି ବାହିନୀ ଯୁଦ୍ଧ-ଯାତ୍ରା

ବାଜୁଛି ସଂଗ୍ରାମ-ବାଜଣା ।

(୩)

କାଞ୍ଚି-ନୃପତି ଉତ୍କଳ-ନୃପେ

କରିଅଛି ଅବମାନନା,

କରୁଛି ବାହିନୀ ଯୁଦ୍ଧଯାତ୍ରା

ଶୁଭୁଛି ସଂଗ୍ରାମ-ବାଜଣା ।

ଫଉଜ ରୁଣ୍ଡ କମ୍ପେ ବ୍ରହ୍ମାଣ୍ଡ

ମହାଦର୍ପେ ଯାନ୍ତି ବାହାରି,

ଚତୁରଙ୍ଗ ସେନା ସହ ଉତ୍କଳେଶ

‘ଜୟ ଜଗନ୍ନାଥ’ ଉଚ୍ଚାରି ।

ଭକ୍ତ-ବତ୍ସଳ ପ୍ରଭୁ ଜଗନ୍ନାଥ

ଲୁଚି ଲୁଚି ସଙ୍ଗେ ଚଳିଲେ,

ପ୍ରଥମେ ହାରିଲେ ପୁରୁଷୋତ୍ତମ

ଭକ୍ତକୁ ପ୍ରଭୁ ଚଳିଲେ ।

(୪)

କାଞ୍ଚି-ନୃପତି ଉତ୍କଳ-ନୃପେ

କରିଥିଲା ଅବମାନନା

ସମରେ ହରାଇ ଲଜ୍ଜା ସେ ଦେଲା

ନୀରବ ସମର-ବାଜଣା ।

‘‘ହେ ପୁରୁଷୋତ୍ତମ ସାହା ହୁଅ ମମ

କାତରେ କରେ ମୁଁ ମିନତି,

ମାରେଁ ଅବା ମରେଁ ନାହିଁ ଅନ୍ୟ ରାହା

ମୁଁ ପୁରୁଷୋତ୍ତମ ନୃପତି ।’’

ଇଷ୍ଟ ପ୍ରସାଦ ଫିଙ୍ଗି ବିଷାଦେ

ହୁଁ କାରି ସିଂହ ଗର୍ଜନେ,

କାଞ୍ଚି-ଫଉଜେ ଉତ୍କଳ-ଥାଟ

ପେଷିଲେ ଶମନ-ସଦନେ ।

କଞ୍ଚି-ହରିଣୀ ହରିଣୀ-ନୟନା

ପଦ୍ମାବତୀ ରାଜକୁମାରୀ,

ବନ୍ଦିନୀ କରି ଓଡ଼୍ର-କେଶରୀ

କହନ୍ତି ମନ୍ତ୍ରୀକୁ ହକାରି,

‘‘ଚଣ୍ଡାଳ କରେ ଚଣ୍ଡୀ ଅରସ

ମେଣ୍ଟ ମୋ ଅବମାନନା

ଯୋଗ୍ୟ ଯୋଗ୍ୟା ଯୋଜନା କରାଅ

ଦୂରେ ଯାଉ ଯୁଦ୍ଧ-ଯାତନ ।’’

‘‘ଯେ ଆଜ୍ଞା ଶ୍ରୀଛାମୁ’’ ବୋଲିଲେ ମନ୍ତ୍ରୀ

ଚିନ୍ତା-ଭ୍ରୁକୁଟି ଲୋଚନେ

ସମ୍ୱ୍ରମଭରେ ରାଜ-ସ୍କନ୍ଧାବାରେ

ରଖିଲେ ଜେମାଙ୍କ ନିର୍ଜନେ ।

(୫)

କାଞ୍ଚି-ନୃପତି ଉତ୍କଳ-ନୃପେ

କରିଥିଲା ଅବମାନନା

ଯୁଦ୍ଧ-ବିଜୟୀ ଉତ୍କଳ-ସାଇଁ,

ପୂରିଅଛି ମନସ୍କାମନା ।

ସ୍ୱର୍ଣ୍ଣ ମାର୍ଜନୀ ହସ୍ତେ ନୃପତି

କରୁଥିଲେ ଛେରା ପହଁରା,

ପଦ୍ମାବତୀଙ୍କୁ ମନ୍ତ୍ରୀ-ଆଦେଶେ

ଆଣି ଉଭା କଲା ଡଗରା ।

ମନ୍ତ୍ରୀ କହନ୍ତି, ଗଜପତି ଆଜ୍ଞା

ଟଳିନାହିଁ କେବେ ଭୁବନେ

ହସ୍ତୀର ଦନ୍ତ ଉଲଟି ହସ୍ତୀ–

ମୁଖେ ପଶି ନାହିଁ ଯେସନେ ।

 

ନୃପତି-ନିଦେଶେ ଚଣ୍ଡାଳ-ବେଶୀ

ନୃପେ କଲି ଜେମା ଅର୍ପଣ,

‘‘ଜୟ ଜଗନ୍ନାଥ’’ ‘‘ଧନ୍ୟ ହେ ମନ୍ତ୍ରୀ’’

ବଡଦାଣ୍ଡେ ଶୁଭେ ବଚନ ।

ଚଣ୍ଡାଳ କରେ ଚଣ୍ଡୀ ଅର୍ପିତା

ମେଣ୍ଟିଲା ଅବମାନନା,

ଯୋଗ୍ୟ ଯୋଗ୍ୟା ହେଲେ ସଂଯୁକ୍ତା

ଦୂରେ ଗଲା ଯୁଦ୍ଧ-ଯାତନା ।

Image

 

କାଳିଜାଇ

(ଗୋଦାବରୀଶ ମିଶ୍ର)

 

ଭଲ କରି ନାଆ ବହାରେ ନାଉରି,

ଝିଅକୁ ମାଡ଼ୁଚି ଡର,

ଗଡ଼େ ଗଡ଼ ଲୋକ ଚାହଁ ବସିଥିବେ

ଝିଅ ଯିବ ଶାଶୁଘର ।

ଭଲ କରି ନାଆ ବୋହୂଛି ନାଉରୀ

ତଲେଇ କରିଛି ଠିଆ

ମାମୁଁ ଭଣଜାର କୁଣରୁ ଆସେ ଲୋ

ବୋହି ସୁଳୁ ସୁଳୁ ବାଆ ।

ଦିନ ଦଶଘଡ଼ି ହେଲାଣିଟି ଆସି

ଖରା ମାରେ ଚାଇଁ ଚାଇଁ,

ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ

ବେଳ ତ ପାଇବ ନାହିଁ ।’’

ନାଉରୀ ବାପୁଡ଼ା କାତ ମାରୁଅଛି

ଉଦାସେ ଗାଉଛି ଗୀତ,

ନାଆ ଉଡ଼ିଯାଏ ପବନ ପ୍ରାଏ ଲୋ

ଜଣା ନ ପଡ଼ଇ ବାଟ ।

ମାଆ ଭଉଣୀଙ୍କି ସାଥି ସଂଗାତଙ୍କୁ

ଝିଅ ଯେ ଆସିଛି ଛାଡ଼ି

ନାଆରେ ବସି ସେ ତାଙ୍କରି କଥା ଲୋ

ହୁଏ ନିରନ୍ତରେ ବାଢ଼ି ।

ମାଆ ଭଉଣିଏ ସାଥି ସଂଗାତେ ସେ

ରହିଲେ ଦୁରସ୍ଥେ କାହିଁ ?

ପରତେ ନୋହୁଛି ଅଉ କି ସତେ ଲୋ

ଦିନେ ସେ ଦେଖିବ ଯାଇ ।

ନାଆ ଚାଲି ଅଛି ପବନ ସମାନେ

ମୁହୂର୍ତ୍ତେ ନ ହୁଏ ଥୟ,

ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ

ଦେଖନ୍ତା ଟିକିଏ ଝିଅ ।

ଘଣ୍ଟାଶିଳା ଶିଖେ ଚାହିଁ ସେ କହନ୍ତା

ଦିଅ ରେ ମେଲାଣି ମତେ,

ଭେଟ ଆଉ ଦିନେ ନୋହିବ ଜୀବନେ

ଯାଉଛି ଘୋର ବନସ୍ଥେ ।

ଶାଳିଆ ନଈ ତା ନିତିଦିନ ସାଥି

ସୁଖେ ବୁଲୁଥାଏ କୂଳେ

 

ବେଳେ ସୁଏ ତାର ସ୍ନାହାନ ସାରି ଲୋ

ହସି ଲେଉଟଇ ଘରେ ।

କାଳି ଅନ୍ଧାରୁ ସେ ଚାଲି ଯେ ଅଇଲା

ଦେଖି ତ ନାହିଁ ଛି ତାକୁ,

ଭାରି ଖ୍ୟାତ ନଈ ନାଆଁଟି ତାର ଲୋ

ତିନିକୋଡ଼ି କୋଶେ ଡାକୁ ।

ମାଆ ଭଗବତୀ ପୀଠ କୋଳେ ତାର

‘ଜଗତ୍ର ତାରିଣୀ’ନାଆଁ,

ଡାକି କହିଥାନ୍ତା ନୋହିଲା ଆଉ ଲୋ

ସାହା ମୋ ଥିବୁଟି ମାଆ ।’’

ନାଆ ଆସି ହେଲା ଦଣ୍ଡକ ଭିତରେ

ଚଢ଼େଇ ହଗାର ତଳେ,

ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ

ରହିଲା ଶାଳିଆ ଦୂରେ ।

ଚାହୁଁ ଚାହୁଁ ଆସି ପହୁଞ୍ଚିଲା ନାଆ

ମଝି ଚିଲିକାରେ ପୁଣି,

ଝିଅର ଆଖିରୁ ଝରଇ ଲୁହ ଲୋ

ତିନ୍ତି ପିନ୍ଧା ଛିଟ କାନି ।

ପାରିକୁଦ ବୋଲି ରାଇଜ ପୁଣି ସେ

ଚିଲିକା ମଝିରେ କାହିଁ,

କେମନ୍ତ ମୂର୍ଚ୍ଛିଲ ଝିଅକୁ ବାପା ହେ

ଏତେ ଦୂରେ ଦେବା ପାଇଁ ।

ବର ବୋଲି ପାର ଧରାଇଲ ହାତ

କି ତାର ଦେଖିଲ ଶିରୀ ?

ରୂପ ବିଦ୍ୟା ଆଉ ବିଭବ ବାପା ହେ

ତିହ୍ନିଏ ତିହ୍ନିଙ୍କୁ ବଳି ।

ମହୀ ମଣ୍ଡଳରେ ନାହିଁ ତ ନ ଥିବ

ମୋ ଭଳି ନିରେଖ ଜନ,

ଏ ମହା ସମୁଦ୍ର ମଝିରେ ବାପା ହେ

କେମନ୍ତେ ବଂଚିବି ଦିନ ?

ଏତେ ହୀନିମାନ କରିବାକୁ ଯେବେ

ମନରେ ଥିଲା ବିଚାର

ଏନ୍ତୁଡ଼ିଶାଳେଟି କିପାଇଁ ବାପା ହେ

ତଣ୍ଟି ଚିପି ନ ମାରିଲ ?

ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ

ବନସ୍ଥକୁ ଜାଣୁ ଜାଣୁ

 

କପାଳ ଆଦରି ଯାଉଛି ବୋଉ ଲୋ

ପାଶୋରି ନ ଦେବୁ ମନୁ ।

ନାଆ ଉଡ଼ିଯାଏ ପବନ ସମାନେ

ନାହିଁ କ୍ଷଣେ ହୁଏ ଥୟ

ଝିଅ ବସିଅଛି ତୁନିଟି ହୋଇ ଲୋ

ନେତ୍ରୁ ବହିଯାଏ ଲୁହ ।

ନାଆ ଚାଲିଅଛି ପବନ ସମାନେ

ନ ମାନେ ପାଣି ପଥର

ତୁନି ହୁଅ ଜାଇ, ନ କାନ୍ଦ ଆଉ ଲୋ

ଏଇ ଯେ ଦିଶୁଛି ଗଡ଼ ।

ଏତେ ବୋଲି ବାପା ଝିଅର ଆଖିରୁ

ଦେଲେ ଲୁହଧାର ପୋଛି

ଯେତେ ପରି ତାକୁ ବୁଝାନ୍ତି ବସି ଲୋ

ଜାଇ ବୁଝୁ ନାହିଁ କିଛି ।

ଭଲ କରି ନାଆ ବାହା ରେ ନାଉରୀ

ଝିଅକୁ ମାଡ଼ୁଛି ଡର

ନୂଆ କରି ଜାଇ ନାଆରେ ବସୁଛି

ଯିବ ବୋଲି ଶାଶୁଘର ।

ଭଲ କରି ନାଆ ବୋହୁଛି ନାଉରୀ

ଭିଡ଼ି ମାରୁଅଛି କାତ

ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ

ଜଣା ନ ପଡ଼ଇ ବାଟ ।

ନାଆ ଭାସି ଆସି ଦଣ୍ଡକ ଭିତରେ

ଗଣ୍ଡରେ ପଡ଼ିଲା ଯାଇ

ଥିର ହୋଇ ହେଲା ନାଉରୀ ଠିଆ ଲୋ

କାତ ଆଉ ପାଉ ନାହିଁ,

ଭାଲେରି ଶିଖରୁ ଚଳା ମେଘ ଖଣ୍ଡେ

ଉଠେଇ ଆସିଲା କାହୁଁ ।

ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ

ଖରା ନ ପଡ଼ଇ ଆଉ ।

ମାଡ଼ି ଆସୁଅଛି ଧାତିକାରେ ମେଘ

ଜଟିଆ ନାସିକି ଧରି

ବରଷା ବତାସି ଗରଜୁ ଅଛି ଲୋ

ଦିନ ଦିଶେ ରାତି ପରି ।

ନାଆ ପଡ଼ି ଅଛି ମଝି ଗଣ୍ଡେ ଆସି

ବୁଡି ଯିବ ହାତୀ ଛତି,

 

ଟଳମଳ ହୋଇ ଟଳୁଛି ନାଆ ଲୋ

ନାଉରୀର ବଡ଼ ଭୀତି ।

ଭଲ କରି ବେଗେ ବୁହାରେ ନାଉରୀ

ନାଆ ହେଲା ଟଳମଳ

ବରଷା ବତାସି ଗରଜି ଆସୁଛି

ଝିଅକୁ ମାଡ଼ୁଛି ଡର ।’’

ବରଷା ବତାସି ଗରଜି ଆସିଲା

ନାଆ ନୁହେଁ ଥୟ କରି

ଏକା ପବନକେ ପାହାଡ଼େ ଯାଇ ଲୋ

ପିଟି ହୋଇଗଲା ଚୁରି ।

ମେଘ ଚାଲିଗଲା ମେଘର ବାଟେ ସେ

ବତାସି ହୋଇଲା ଥିର,

ପଡ଼ିଗଲା ଖରା ନିର୍ମଳ ହୋଇ ଲୋ

ପାଣି ହୁଏ କଳ କଳ ।

ବାପା ପଚାରନ୍ତି ଖୋଜି ନାଉରୀ ରେ

‘‘ଝିଅ ମୋର ଗଲା କାହିଁ ?

ବୁଜି ଆଖି ଠିଆ ନାଉରୀ ନିଜେ ଲୋ

ତୁଣ୍ଡ ତା ଫିଟଇ ନାହିଁ ।

ଚିଲିକା ପାଣିରେ ଦୋଳୁଛି ଲହରୀ

ବୋହୂଛି ଶୀତଳ ବାଆ

ସୋରି ସୋରି ଖରା ଢଳି ଯାଉଛି ଲୋ

ଖେଳୁଛି ସହସ୍ର ନାଆ ।

ପାହାଡ଼ ଚଢ଼େଇ ଉଡ଼ି ଅଛି ରାବି

ମନେ କି ଅଛି ତା ଧୋକା ?

ପାଣିତଳେ ଛାଇ ବୁଲି ଯାଉଛି ଲୋ,

ଜାଇଟି ନାହିଁଛି ଏକା ।

ବାପା ଫେରି ଆସି ବୋଉଙ୍କ ଆଗରେ

କିଛି ନ ପାରନ୍ତି କହି,

ଆର ଦିନ ପୁଣି ନାଉରୀ ଗଲା ଲୋ

ନାହା ସେଇ ବାଟେ ବାହି ।

କେତେଶ’ ବରଷ ହେଲାଣି ସେଦିନୁ

ଗଣି କି କହିବ କିଏ ?

ନାହିଁ କିଛି ଆଉ ସେକାଳ କଥା ଲୋ

ଜାଇ ରହିଅଛି ଜିଏ ।

ବାଲୁଗାଆଁ କୂଳ ନାଆ ଗଲା ବେଳେ

ପାରିକୁଦ ଗଡ଼ଠାକୁ,

 

ପାହାଡ଼ର ପାଖେ ମଣିଷ ତୁଣ୍ଡ ଲୋ

ନ ଶୁଣାଯାଏ କାହାକୁ ?

ବରଷା ବତାସି ଚିଲିକାରେ ଆଉ

ହୁଏ ନାହିଁ ତେଡ଼େ ଭଳି,

ଆପଦେ ବିପଦେ ଜଣା ପଡ଼ଇ ଲୋ

ସାହା କିଏ ଥିଲା ପରି ।

ନାଉରୀ କେଉଟ ପାହାଡ଼ ବାଟେ ସେ

ନାଆ ନେଇ ଗଲାବେଳେ,

କାମେ ଆପଣାର ଶୁଭ ମନାସି ଲୋ

ଜୁହାର କରଇ ଥରେ ।

ତୋଳିଲେ ପାହାଡ଼ ଶିଖେ କାଳେ ଲୋକେ

ସୁନ୍ଦର ଦେଉଳଟିଏ

ସେ ଦେଉଳେ ଅବା ରହିବ ଯାଇ ଲୋ

ଚିଲିକା ମଝିରେ କିଏ ?

ସୂଯ୍ୟ ବୁଡ଼ି ଗଲେ, ନିଶବଦ ଯେବେ

ହୁଏ ସବୁ ସଂଜ ବେଳେ,

ଏକା ହୋଇ ଜାଇ, ଲୋକ କହନ୍ତି ଲୋ,

ବୁଲୁ ଯେ ଥାଏ ପାହାଡ଼େ ।

ନେତ୍ରୁ ବହୁ ଥାଏ ଲୁହ ଦୁଇ ଧାର

ଶୁଖି ଯାଇ ଥାଏ ମୁହଁ,

ହେଲେ, ଠାରି ହାତ, କାନ୍ଦି, କାହାକୁ ଲୋ

ନିବର୍ତ୍ତାଇ କରେ ଥୟ ।

କାଳିଜାଇ ବଡ଼ ପ୍ରତ୍ୟଖ୍ୟ ଦେବତା

କୋଟି କୋଟି ଦଣ୍ଡବତ ।

ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ

‘କାଳିଜାଇ ପରବତ ।

Image

 

ହରିଜନ

 

ଦୁଇ ଦିନ ହେଲା ଜୁଟି ନାହିଁ ଦାନା

ପତାଇଛି କେତେ ହାତ,

ମିଳିଅଛି ମୁହଁ-ମୋଡ଼ା ନାକ-ଟେକା

ମାତର ମିଳିନି ଭାତ ।

ବିଶାଳ ନଗରୀ ପାଟଳିପୁତ୍ର

ଲକ୍ଷୁଁ ଅଧିକ ଜନ,

ମୁଠାଏ ଅନ୍ନ କାଣି କଉଡ଼ିକ

ଲାଗି ସବୁ ଅଭାଜନ ।

କାହା ଭରସାରେ ଚାଲିବ ସେ ବହି ?

ଯୋଡ଼ାଏ ଯୋଡ଼ାଏ ପିଲା,

ଦିଓଟି ବରଷ ଖୁଆଇ ପିଆଇ

ସରିଛି ଯା’ପାଖେ ଥିଲା ।

ଆଗତ ପଉଷେ ଗୃହସ୍ଥ ତା’ର

ମୁଦିଲା ଯୁଗଳ ଆଖି,

ଶୋଥ କାମଳକୁ ଚିକିତ୍ସା ଯେତେ

ରଖିନି ସେ କିଛି ବାକି ।

ଚାଲିଗଲା ସୁଖେ ମାଇପିଟାଏ ସେ

ଗୁରୁ ଭାର ଲଦି ଶିରେ,

ଅମଡ଼ା ପଥେ ସେ ମାଡ଼ିଚାଲେ ଏକା

ନୟନ-ଅଶ୍ରୁ-ନୀରେ ।

ତିନିଟା ପରାଣ ଚାଲନ୍ତି ଠେଲି

କୁକ୍ କୁର ତହୁଁ ହୀନ,

ସୃଷ୍ଟିରେ କିବା ପ୍ରୟୋଜନ କାର

କହିବ କେ କେଉଁ ଦିନ ?

ବୈଶାଖ ମାସ ଶୂନ୍ୟ ସରଣୀ

ଦୁଇ ପହରିଆ ଖରା,

ଚୌଦିଗୁ ନିଆଁ ବରଷଇ, କୁଆ

କୋଇଲି ସ୍ୱପ୍ନ ପରା ?

ଏକାଳେ କାହାକୁ କହିବ ଦୁଃଖ ?

ପ୍ରାଣୁଁ ଉଠେ ଖାଲି କୋହ,

ଦେଖିଲା ପାର୍ଶ୍ୱେ ତ୍ରିତଳ ସୌଧେ

ଉତ୍ସବ ସମାରୋହ ।

ଗତ ରଜନୀରେ ସରିଛି ବିବାହ

ଫିକା ଦିସେ ସାଜସଜା,

ସରି ନଥିବ ତ ସାତ ଦିନ ଯାଏ

ଚବ୍ୟ ଚୋଷ୍ୟ ମଜା ।

ଡାକିଲା ବିକଳେ ‘ମାଆ ଠାକୁରାଣୀ–

ଶୁଣଏ ଏ ଗରିବ ଡ଼ାକ,

ବଳିଥିବ ତୁମ ଭୋଜନ ପାତ୍ରୁ

କେତେ ତ ଅନ୍ନ ଶାକ ।

ଦିଅ ଅଟିକାରେ ଯା ଥିବ ଭାଗ୍ୟେ

ଅନ୍ନ ତୋରାଣି ପାଣି,

ଉଡ଼ଇ ହଂସା ଘେନ ମୋ ଦଇନି–

ମରୁଁଛୁ ତିନିଟା ପ୍ରାଣୀ ।’’

ଅଇଁଠା ପତ୍ର ଚାଟୁଥିଲା ଅବା

ଅଦୂରେ ଶୀର୍ଣ୍ଣ ଶ୍ୱାନ,

ଅନାହୂତ ତିନି ଅତିଥିରେ ଚାହିଁ

କଲା ବା ଶତ୍ରୁ ଜ୍ଞାନ ।

ଗୁରୁ ଗୁରୁ କରି ଗରଜି ଉଠଇ

ମଡ଼ାଇ ନ ଦେବ ପାଖ

ଯମୁଁ ଭୀମରୂପ ! ନିରେଖି ସଭୟେ

ଉଡ଼ିଗଲେ ବେନି କାକ ।

କନ୍ୟାଟି ତାର ଯାଉଥିଲା ଆଶେ

କି ଅବା ଆଣିବ ଛାଣି,

ଅଧିକ ଲୋଭରେ ‘ମରୁ ନାହିଁ’ କହି

କର ଧରେ ମାଆ ଟାଣି ।

ସହସ୍ର ଡାକେ ଆସଲା ଦାସୀଏ

ଦନ୍ତୀ ପୃଥୁଳ-କାୟା,

‘ଚାରି ଦିନ ହେଲା ବାହାଘର ଶେଷ’

କହେ, ‘ନିଆଁ ଦେବି ଥାଆ !’’

‘ଆଜିଯାଏ କାହିଁ ଶୋଇଥିଲୁ ? ଆଜି

କାଳକୁ ଭାଜିଲା ନିଦ ?

‘ସେ ଦିନ ଥିଲେ ତୁ ଫୋପାଡ଼ି ଥାନ୍ତୁ

ଖିରୀପୁରୀ ନାନାବିଧ ।

‘ଆଜି ଯାଏ ଥିଲା, ବାସି ବୋଲି ଆଜି–

ଢାଳି ଦେଲେ ବାବୁଆଣୀ,

‘ମିଠାଇ କାକରା ଧରି ଗଳା ଲାଳ

କିଏ ଖାଆନ୍ତା ଜାଣି ।

‘ଅସ୍ କରା ଟିଣେ ଫୋପାଡ଼ିଛି ତା ମୁଁ;

ଦେଖିବୁ କି ଥିବ ଅବା !

‘ମେହେନ୍ତର ଗାଡ଼ି ଆସିନି ଏ ଯାଏଁ

କହୁଥଲା ବୁଢ଼ା ନବା ।

ଭାଗ୍ୟକୁ ତୋର ଥିବ ଯଦି କିଛି

କୁକ୍‍କୁର କୁଆ ମୁଖୁଁ;

‘ନାହିଁ, ନାହିଁ, କେହି ଯାଇ ନ ଥିବେ ତ

ସେଇ ଟିଣ ଭିତରକୁ ।’

କହିଦେଇ କ୍ଷଣେ ଅନ୍ତର୍ଦ୍ଧାନ !

ଅସକରା ଟିଣ ଠାରି,

ପୃଥୁଳ କାୟାକୁ ବିକଳେ ନିରେଖି

ଧୀରେ ଲେଉଟିଲା ନାରୀ ।

ହରିଜନ ତାର ସ୍ଥାନ ଅସ୍ଥାନ

ବାରଣ ତ ତିଳେ ନାହିଁ,

ବ୍ୟାକୁଳ ନେତ୍ରେ ଅସ୍ କରା ଟିଣେ

କିବା ଅଛି ଦେଲା ଚାହିଁ ।

ଭାଗ୍ୟକୁ ତାର ଛୁଇଁ ନାହିଁ କେହି !

ପିଲାଟାଏ ଗଲା ପଶି,

ସାଉଁଟି ଅଟିକା ପୂର୍ଣ୍ଣ କଲା ତା

ନୟନ ଉଠିଲା ହସି ।

‘ଦୁଇ ବେଳା ଯିବ’’ ନାହିଁ’’ ତିନି ବେଳା

ଖାଇଲେ ତା ରଖି ଥୋଇ’’

ମୋ ଭାଗ ଅଧିକ, ଆଣିଛି ମୁଁ !’ –କହେ

ପୁଅ ଉଲ୍ଲାସ ହୋଇ ।

ଖାଇଲେ ଯେତେକ ଗଛ ମୂଳେ ବସି

ଯାଉଥିଲା ସେହି ଶ୍ୱାନ,

ତ୍ରସ୍ତ କାତରେ ଚାହିଁ ଲାରୁ ଝିଅ–

ଆନନ୍ଦେ କରେ ଦାନ ।

ଆକଣ୍ଠ ସେହି ଭୋଜନର ଶେଷେ

ଆଶୀର୍ବାଦର ପାଳି,

‘ଧନ୍ୟ ବିଧାତା’ ! ‘ଜମିଦାର ବାବୁ–

ଜିଇ ରହ’ କହେ ବାଳୀ ।

ବିଧାତାର ସେହି ମଙ୍ଗଳ ଗାନେ

କେତେ ବା ଦାସୀର ଭାଗ ?

ଯେ ଦେଖିଛି କହୁ କ୍ଷୁଧିତ-ଖାଦ୍ୟ–

ଅନ୍ତିମ–ଅନୁରାଗ ।

ଅନ୍ତିମ ସେହି ଭୋଜନେ ତୃପ୍ତି –

ବର୍ଣ୍ଣିବି ? ନାହିଁ ବାଣୀ ?

ପ୍ରଭାତ ପୂର୍ବୁ ଅନ୍ତିମ ନିଦେ

ନିଦ୍ରିତ ତିନି ପ୍ରାଣୀ ।

ମୁତ୍ର ପୁରୀଷେ ତନୁ ଜର୍ଜର

ମକ୍ଷିକା ଭଣ ଭଣ,

ରାତ୍ରି ଭିତରେ ହୋଇଛି ଯେ କେତେ

ବଦନୁ ଉଦ୍‍ବମନ;

କୁଞ୍ଚିତ ନାସା, ବିକଳ ବଦନ,

ନେତ୍ର କୋଟରଗତ,

ଊର୍ଦ୍ଧ୍ୱେ ଅନାଇ ଉଡ଼ି ଯାଉଅଛି

ପରାଣ ସମ୍ଭବତ ।

ସାଉଁଟା ପିଠାରୁ ବାକି ଅଛି କେତେ !

ଖାଇବାକୁ ନାହିଁ ପ୍ରାଣ !

ତୁଚ୍ଛ କରି ତା ବମନକୁ ଚାଟେ

ସେହି ପରିଚିତ ଶ୍ୱାନ ।

ତୀର୍ଥ ଭୂମି ସେ ପଥେ ଯୁଗେ ଯୁଗେ

ଦେବତାର ନିତି ରାସ,

ସେ ପଥେ ଗଲେଣି କେତେ ତଥାଗତ

କେତେ ଯେ ତୁଳସୀ ଦାସ ।

ସବୁ ଦିନ ପରି ଆଜି ସେହି ପଥେ

ଗାଇ ମୁଖେ ରାମ ନାମ,

ପ୍ରଭାତୁ ଚଳେ କେ ଭକ୍ତ ଉଦାର

ସାରିବ ଗଙ୍ଗା ସ୍ନାନ ।

ଦେଖି ଏ ଦୃଶ୍ୟ ବିଭତ୍ସ କ୍ରୂର

ଶିତ୍‍କାର କରି ଉଠେ,

ଅଶୌଚ ଭୟେ ଦ୍ୱିଗୁଣ ବେଗରେ

ରାମ ନାମ ମୁଖୁ ଛୁଟେ ।

ଗର୍ଜି ଉଠଇ ବୁଭ୍ୱକ୍ଷୁ ଶ୍ୱାନ !

–ଦନ୍ତ ପନ୍ତି ଦିଶେ,–

ଜୀବନ ଯଜ୍ଞ ଅନ୍ତିମ-ରସେ

ଆହୁତି ଢାଳଇ କି ସେ ।

Image

 

ନରବଳୀ

(କାଳିନ୍ଦୀଚରଣ ପାଣିଗ୍ରାହୀ)

 

ରାଜ୍ୟ ପଡ଼ିଛି ଶତ୍ରୁ କବଳେ

 

 

ସକଳ ଶିରୀ ତ ଗଲାଣି ତୁଟି

ଦେବତା-ଭୂଇଁରେ ମାନବ ନାହିଁରେ

 

 

ନମିଳେ କାହିଁ ତ ଭିକ୍ଷା ମୁଠି !

ଉଠେ ହାହାକାର ଦେଶ ଛାରଖାର

 

 

କ୍ଷୁଦ୍ର କଳହ ରହିଛି ବେଢ଼ି

ସାନ ସାନ ଜାତି ଧର୍ମର ଭେଦ

 

 

ସବୁରି ହାତରେ ଦେଇଛି ବେଡ଼ି ।

ସବୁରି ଅଧରୁ ହାସ୍ୟ ଶୁଖିଛି

 

 

ପଶୁଠାରୁ ହୀନ ମାନବ ଜାତି

କୁକ୍କୁର ଠାରୁ ଘୃଣ୍ୟ ଅଧିକ

 

 

ପର ପଦାଘାତେ ନ ଜଳେ ଛାତି ।

ଗୁରୁ ଗୋବିନ୍ଦ ଚିନ୍ତା-ମଗନ

 

 

ବଦନେ ତାହାର ବିଷାଦରେଖା,

ଦୁର୍ଦ୍ଦଶା ଘୋର ଅନ୍ତରେ ତାର

 

 

ବୋଳିଛି କରୁଣ କାଳିମା ଲେଖା ।

ଦୀର୍ଘ ଶୁକଳ ଶୂଶ୍ରୁ ଉଜଳ

 

 

ସିନ୍ଦୁର-କଲି ଝଟକେ ଭାଲେ,

ନେତ୍ରେ ତାହାଇ ଜଳେ ପ୍ରତିଜ୍ଞା

 

 

ଅଙ୍ଗେ ଶୋହୁଛି କୃପାଣ ଢାଲେ ।

ଶକ୍ତିଦେବୀର ଅର୍ଚ୍ଚନା କରି

 

 

ନିଦ୍ରା ନ ଜାଣେ ଦିବସ ନିଶି

ଶତ୍ରୁ ପୀଡ଼ାରେ ରାଜ୍ୟ ତାହାର

 

 

ମୃତ୍ତିକା ପରେ ଯାଇଛି ମିଶି ।

ଶତ ସହସ୍ର ପରଜା ଭିତରୁ

 

 

ପାଞ୍ଚଟି ତାର ମାନବ ଲୋଡ଼ା,

ମଣିଷ ପରି ଯେ ମଣିଷ ହୋଇବ

 

 

ନୁହଇ ବ୍ୟାଘ୍ର, ହାତୀ କି ଘୋଡ଼ା ।

ଜନ୍ମ ମାଟିର ଦୃପ୍ତ ନିଶାଣେ

 

 

ଉଡ଼ାଇବେ ଯେହୁ ଗଗନ ତଳେ,

ଫେରାଇ ଆଣିବେ ଅରାତି ହସ୍ତୁ

 

 

ଆତ୍ମା ନିଜର ଓଟାରି ବଳେ,

ଫେରାଇ ଆଣିବେ ଦେଶ ଜନନୀର

 

 

ଗତ ଇଜ୍ଜତ ମହତ ଯେହୁ;

ପାଞ୍ଚଟି ବୀର ଲୋଡ଼ା ଆଜି ତାର

 

 

ଅଜ୍ଞାତେ ଦେବେ ରକତ ଦେହୁଁ ।

ଶକ୍ତି ଦେବୀର ବନ୍ଦି ଚରଣ

 

 

ଗୁରୁ ଗୋବିନ୍ଦ ହୋଇଲେ ଉଭା

ବାହୁରେ ଖେଳଇ ଉଷ୍ମ ରୁଧିର

 

 

ବକ୍ଷେ ତାହାର ଜାଗଇ ଯୁବା

ବିଦ୍ୟୁ ସମାନ ଉଠିଲା ଚମକି

 

 

ସହସା ମାନସେ ଉପାୟ ଏକ

ବାଛିବ ପାଞ୍ଚ ସେନାପତି ଯେହୁ

 

 

ଜନ୍ମ ଭୂମିର ରଖିବ ଟେକ ।

ଶିଷ୍ୟ ସକଳ ଆହ୍ୱାନି ଭାଷେ

 

 

‘ଦେବତା ଆଜି ରେ ମାଗିଛି ବଳି,

‘ମାତାର ସ୍ନିଗ୍ଧ ନୟନ ଯୁଗଳୁଁ

 

 

ଦେଖ ରୋଷାନଳ ଉଠଇ ଜଳି ।

‘ମାନବର ମଥା ପାଞ୍ଚଟି ଲୋଡ଼େ

 

 

ରକ୍ତ ପିଇ ସେ ଲଭିବ ତୋଷ

‘ଜନମ ଭୂଇଁକୁ କରିବ ମୁକ୍ତ

 

 

ଖଡ଼୍‍ଗେ ଚୂରିବ ଶତ୍ରୁ-ରୋଷ ।

‘ରକ୍ତ ଲୋଡ଼ୁଛି ପଞ୍ଚ ପ୍ରାଣୀର

 

 

ମୁଣ୍ଡମାଳିନୀ ଚଣ୍ଡୀ ଆଜି

‘ଦେଖ ଲହ ଲହ ଜିହ୍ୱା ତାହାର

 

 

ରକ୍ତ ମାଗଇ ଦନ୍ତ-ରାଜି

‘ମାତୃଭୂମିର ଯଜ୍ଞ ବେଦୀକୁ

 

 

କିଏ ରେ ଯୋଦ୍ଧା କରିବ ପୂତ

ଆହ୍ୱାନ ଶୁଣି ରକ୍ତେ ଏ ମାଟି

 

 

ସିକ୍ତ କର ହେ ଅଗ୍ରଦୂତ !’

ସ୍ପନ୍ଦନହୀନ ବିଶ୍ୱଭୁବନ

 

 

ସୂଚିର ପତନେ ହେବ ଶବଦ

ଗୁରୁ ଗୋବିନ୍ଦ ଗମ୍ଭୀର ନାଦେ

 

 

କ୍ଷଣେ ସେ ଜନତା ହେଲା ତବଧ ।

ହିମାଦ୍ରି ତଟେ ବାଜିଲା ସେ ବାଣୀ

 

 

କନ୍ଦରା କୋଳୁଁ ଉଠିଲା ଧ୍ୱନି,

ହଜାର ଶିଷ୍ୟ ଜଡ଼ ପ୍ରସ୍ତର

 

 

ଭୀତ ଶଂକିତ ସାରା ଅବନୀ

ରକ୍ତନୟନା ଦେବୀ ସମ୍ମୁଖେ

 

 

ବଳିର ସ୍ତମ୍ଭ ରହିଛି ପୋତା,

ଦେବୀ ସିନ୍ଦୁର ହସ୍ତରେ ଧରି

 

 

ଡାକଇ ଯଜ୍ଞେ ପ୍ରଥମ ହୋତା–

‘ଦେବୀ ସିନ୍ଦୂର କପାଳରେ ଘେନି

 

 

ସ୍ତମ୍ଭେ ଦେବ କେ ପତାଇ ଗଳା

‘ନୀରବ ଏସନ କାହିଁକି ହେ ବୀରେ !

 

 

ଜୀବନ କି ତବ ଉଭେଇ ଗଲା ?

‘ଜନ୍ମ ଭୂମିର ମୁକ୍ତି ଲାଗି ରେ

 

 

ଭାଗୀରଥି ଆଜି ହୋଇଛି ଲୋଡ଼ା ?

‘‘ଛି, ଛି, କାପୁରୁଷ ରହିଛ କାତର

 

 

ଅଙ୍ଗାର ସମ ହେଲ କି ପୋଡ଼ା ?

‘ନିଜ ଇଜ୍ଜତ ଧନ ମାନ ଆଜି

 

 

ପର ହାତେ ଦେଇ ମାଗିବ ଭିକ,

‘ପଦଲେହନକୁ ମଣିବ ଭାଗ୍ୟ

 

 

ଏସନ ଜୀବନ ଧିକ ରେ ଧିକ !

‘ଆଗରୁ ତାହାର ରଞ୍ଜିବ ନିକି

 

 

ଏମାଟି ନିଜର ରକ୍ତଧାରେ

‘ଆସ ଅଖ୍ୟତ ଆସ ଅଶ୍ରୁତ

 

 

ଆସ ଉଦ୍ଧତ ଉଗ୍ର ଆରେ !

ଗୁରୁ ଗୋବିନ୍ଦ ବାକ୍ୟ ବାଣରେ

 

 

ଚେତନା ଆସିଲା ସକଳ ପ୍ରାଣେ

ଏକୁ ଏକେ ବୀର ହେଲେ ଚାହାଁ ଚାହିଁ

 

 

ପୁଣି ସେ ‘ଗୁରୁ’ର ଖର କୃପାଣେ

କୃତାନ୍ତ ସମ ନିଷ୍ଠୁର ‘ଗୁରୁ’

 

 

କ୍ଷଣେ ଗଡ଼ାଇବ ଭୂତଳେ ମଥା

ମୁର୍ଚ୍ଛିବ କିଏ କେସନ ଜୀବନ

 

 

ମନେ ପଡ଼େ ପ୍ରିୟଜନର କଥା

ଜନତା ଗହଳୁଁ ଶାନ୍ତ ମୂରତି

 

 

ଅମାୟିକ ଏକ ଯୁବକ ସାର

ଧୀର ପଦେ ଆସି ନୁଆଁଇଲେ ମଥା

 

 

ବଦନେ ଲାଗିଛି ହାସ୍ୟଗାର ।

କପାଳରେ ଦେଇ ସିନ୍ଦୂର ଚିତା

 

 

ବୋଲେ ଗୁରୁ’’ହେଲା ଗୋଟିଏ ବଳି

‘‘ଆଉ ଚାରି ଗୋଟି ଲୋଡା ଏହିପରି

 

 

ଶାଣିତ ଗଡ଼୍‍ଗ ଉଠିଲା ଝଳି ।

ଏକ ଏକ ହୋଇ ଆଉ ଚାରିଜଣ

 

 

ନମିଲେ ଗୁରୁର ଚରଣତଳେ

ସବୁରି ବଦନେ ହାସ୍ୟ ଫୁଟଇ

 

 

ଶାନ୍ତ ମୂରତି ବଚନ ବଳେ ।

ଅବାକ ଜନତା ରହିଛି ଚକିତେ

 

 

ବିଦ୍ଧ କାତର ହିୟା ସକଳ

ଗୁରୁ ଗୋବିନ୍ଦ ନୟନ ଯୁଗଳୁଁ

 

 

ବହେ ଦୁଇ ଧାର ଅଶ୍ରୁଜଳ ।

ଏକ ଏକ କରି କୋଳେ ନିଏ ଗୁରୁ

 

 

ଗଦ୍ ଗଦ ହୋଇ କହଇ ବାଣୀ

ହଜାର ଭିତରୁ ପାଞ୍ଚଟି ଏହି

 

 

ମଣିଷ ପାଇଲି ଆଜି ମୁଁ ଜାଣି ।

ଜନ୍ମଭୂମିର ଟେକିବେ ନିଶାଣ

 

 

ଶତ ଶତ ସେନା ଚାଲିବେ ଏହୁ

ନୁହେ ଦେବୀ ବଳି ରକ୍ତ ଢାଳିବେ

 

 

ଜନ୍ମମାଟିର ଲାଗି ସେ ଦେହୁ ।

Image

 

ଓଡ଼ିୟା ପଖାଳ–ଭାତ

(ବୈଷ୍ଣବ ଚରଣ ଦାସ)

 

ମୁଣ୍ଡିଆ-ମୁଣ୍ଡର ଖେଳୁଆଡ଼ ବାଆ

 

 

ଚକା ଭଉଁରୀରେ ବହି

ମୁକ୍ତ ଆକାଶର ତୁଙ୍ଗ ଶିଖରରୁ

 

 

ଝରୁଥିଲା ରହି ରହି

ବନମନ ହୋଇ କେବେ ଚିଲୁଟାଏ

 

 

ନଣ୍ଡା ବରଗଛୁଁ ଉଠି

ଭାରୀ ତେଜେ ଭେଦି ପବନ, ଅବଶେ

 

 

ପଳାଇ ଆସେ ଲେଉଟି !

ଆକାଶ-ମୁକ୍ତ ଶୂନ୍ୟ, ପବନ–

 

 

ପୂର୍ଣ୍ଣ ହରଷ-ଧାରା

ଲମ୍ଭାଇଛି ପରା ଉତ୍କଳର ଦେହେ

 

 

ଜୟ-ଗଉରବ-ମାଳା !

‘ବଜା, ବଜା, ବଜା, ସେନାପତି ପୁଅ

 

 

ବଜାରେ ଖରେ ମହୁରୀ

‘ବର୍ଗୀ ଖଣ୍ଟ ପରା ଗାଆଁ ମୁଣ୍ଡେ !’’, ବୁଢ଼ା–

 

 

ପାଇକ ଛାଡ଼ିଛି ହୁରୀ ।

ବୁଢ଼ା ପାଇକ ସେ–ପାଇକ ଗ୍ରାମର

 

 

ବହୁ ଦିନେ ଥିଲା ନେତା–

ବୀରର ସନ୍ତାନ, ବୀରଙ୍କ ଜନକ–

 

 

ଶତ୍ରୁ ଜିଣା ଚିରଜେତା !

ବୀରସୁତେ ଆଜି ବୃଦ୍ଧେ ରଖି ଗ୍ରାମେ

 

 

ଯାଇଛନ୍ତି କାହିଁ ରଣେ

ପାଇକ-ଗ୍ରାମର ରକ୍ଷକ ଏ ବୃଦ୍ଧ–

 

 

ଆଉ ନାହିଁ କେହି ଜଣେ !

ବୁଢ଼ା ଥର ଥର ହାତଟି ପକାଇ

 

 

ମୁଛେ, ଚାଲିଅଛି ଖରେ

ଗଭୀର ନିମଗ୍ନ ଆଖି ଯୋଡ଼ି ଜଳେ

 

 

ଚାହିଁ ଅଛି ଗ୍ରାମପାରେ ।

‘ବଜା, ବଜା, ବଜା ବଜାରେ ମହୁରୀ

 

 

ସେନାପତି ଉଠ ବଜା’ !

କମ୍ପମାନ କଣ୍ଠେ ଡାକି ଦେଲା ବୃଦ୍ଧ,

 

 

‘ଗାଆଁ ମୁଣ୍ଡେ ଆସି ବଜା !’’

ମହୁରିୟା ବୁଢ଼ା ନିଧି ସେନାପତି–

 

 

କାନରେ ବାଜିଲା ଡାକ

ମନେ ପଡ଼ିଗଲା ବୁଢ଼ା ସଙ୍ଗେ ଗତ

 

 

ବିଜୟ ବାଜଣାଯାକ ।

ମନ୍ତ୍ର ବଳେ ଉଠି ଶତସ୍ମୃତି-ଯୁକ୍ତ

 

 

ମହୁରୀରେ ଦେଲା ଫୁଙ୍କ,

ଥରି ଉଠି ପଡ଼ି ବାଜୁଛି ମହୁରୀ–

 

 

ବୁଢ଼ାର ନ ଛିଡ଼େ ଝୁଙ୍କ !

ଭୁଲିଗଲା ସବୁ-ନାୟକର ଡାକ–

 

 

ଗାଁ ମୁଣ୍ଡେ ଯିବା କଥା,

ସବୁ ଭୁଲି ବଦ୍ଧ କୁଟୀରରୁ କିବା

 

 

ବାଉଛ ଅତୀତ କଥା !

ପାଇକ-ପରାଣେ ଖେଳିଲା ବିଜୁଳୀ

 

 

ମହୁରୀ ଶବଦ ସଙ୍ଗେ

ବିହ୍ୱଳ ଉଲ୍ଲାସେ ଧନୁ ଶର ଟେକି

 

 

ନାଚିଲା ସମର-ରଙ୍ଗେ ।

ମନେ ଖେଳିଗଲା ଯଉବନ କଥା–

 

 

ଯେତେ ଗଉରବ ରଣ

କ୍ଷଣେ କୁତୂହଳୀ ନାରୀଙ୍କୁ ଅନାଇ–

 

 

ମରଣ କଲା ସେ ପଣ ।

ଏକ, ଦୁଇ, ତିନି–ଚାରିଟା ସବାର

 

 

କାହୁଁ ଦେଖାଦେଲେ ଆସି

ନିଃଶବ୍ଦ ସରଣେ ଘୋଟକ ଛୁଟାଇ

 

 

ଉଡ଼ାଇ ଧୂଳିକା-ରାଶି ।

ନାଚୁ ନାଚୁ ବୁଢ଼ା ବାଉଳାଙ୍କ ପରି

 

 

କ୍ଷଣକେ ହୋଇଲା ସ୍ଥିର

କ୍ଷଣକେ ଶିଥିଳ ଓଠଟି କାମୋଡ଼ି

 

 

ଧନୁରେ ଯୋଖିଲା ତୀର ।

ଟଳ ଟଳ ପାଦ ହସ୍ତ ଥର ଥର

 

 

ଶ୍ରମଝାଳ ବହେ ଖର,

ଦୂରୁଁ ଏ ମୂରତି ଦେଖି ଚୋର ମନେ

 

 

କାହୁଁ ପଶିଗଲା ଡର !

ଶମି ଅଶ୍ୱବେଗ ବରଛା ନମାଇ

 

 

ବରଗି ରହିଲେ କ୍ଷଣେ,

କ୍ଷଣେ କି ବିଚାରି ଭିନ୍ନ ଭିନ୍ନ ଦିଗେ

 

 

ଖେଳିଗଲେ ଜଣେ ଜଣେ ।

ସହସା ଚାରିହେଁ ଚାରିଦିଗେ ଛୁଟି

 

 

ବୃଦ୍ଧେ ପକାଇଲେ ଘେରି,

ବୃଦ୍ଧ-ଯୋଖା ଧନୁ ଶର ଚାରିଦିଗେ

 

 

ଧରି ନାଚେ ଫେରି ଫେରି !

ବରଗୀ ସବାର ଜାଣିଲା ନିଶ୍ଚିନ୍ତ

 

 

ଅଚଳ ଅଟଳ ବୀର,

ଭରସି ନ ପାରେ ତୀରମୁଖେ ଆସି

 

 

ଦେବାକୁ ବଳି ତା ଶିର ।

ପ୍ରବୀଣ ପାଇକ ନ ଛାଡ଼େ ତା ଶର–

 

 

ମାରି ଗୋଟାଏ ବଇରୀ

ନାହିଁ କିଛି ଫଳ–ଯେଣୁ ପରକ୍ଷଣେ

 

 

ଆନ ବରଛାରେ ମରି !

ନାଚି ନାଚି ତେଣୁ ଶରମୁନେ ଭୀରୁ–

 

 

ଦସ୍ୟୁକୁ ରଖିଲା ଦୂରେ,

ପ୍ରାଣ ଥିବାଯାକ ଗ୍ରାମ-ରକ୍ଷକ ସେ

 

 

–ଶତ୍ରୁ ନ ପଶିବ ପୁରେ !

ବୃଥା ରଣ ଦେଖୁଥିଲା ଅଶ୍ୱପୃଷ୍ଠେ

 

 

ଦୂରଁ ଏକ ଅଶ୍ୱାରୋହୀ,

ଶିଙ୍ଗା ଫୁଙ୍କି ଅଶ୍ୱ ଛୁଟାଇ ନିମିଷେ

 

 

ଆସି ପ୍ରବେଶିଲା ତହିଁ ।

ଯିଏ ଯେଉଁ ଠାରେ ଥିଲେ ସେ ଚାରିହେଁ

 

 

ରହିଲେ ସେଠାରେ ସ୍ଥିର,

ନବ ଅଶ୍ୱାରୋହୀ-ନାୟକ ପରା ସେ–

 

 

ବୃଦ୍ଧେ ଭାଷୁଛନ୍ତି ଗୀର–

‘‘ପାଇକ ବୁଢ଼ାରେ, ଅଟୁ ତୁ ପୁରୁଣା–

 

 

ବରଗୀଙ୍କ ସଙ୍ଗେ ବାଦ

‘‘କରି କି ପାଇବୁ, ପ୍ରାଣଟି ହାରିବୁ–

 

 

ମେଣ୍ଟି ଯିବ ସବୁ ସାଧ ।

‘‘ଅଟୁ ତୁ ଓଡ଼ିୟା, ଓଡ଼ିୟାଙ୍କ ପରି

 

 

ପଳା, ଘରେ ଯାଇଁ ଶୁଅ–

‘‘ମୁଣ୍ଡଟି ରଖିବା ଇଚ୍ଛା ଥାଏ ଯଦି

 

 

ନିଶକୁ ଏଠାରେ ଥୁଅ !’’

ଏହା ବୋଲି ବର୍ଗୀଦର ନିଜ ମୁଛେ

 

 

ମହା ସମାରୋହେ ହାତ

ପକାଇ ହସିଲା ଝଙ୍ଗାସି ଭାଷିଲା

 

 

‘ଓଡ଼ିୟା ପଖାଳ-ଭାତ

‘‘କେlଡ଼ ପାଇକ ତୁ ଦେଖିବା ରେ ବୁଢ଼ା

 

 

ନିଶ ମୋଡ଼୍ ଦେଖି ଥରେ ।’’

ଆପଦ ମସ୍ତକ ଥରୁଁ ଥରୁଁ ବୃଦ୍ଧ

 

 

ମାତା ଭଗବତୀ ସୁରେ ।

‘‘ଆଚ୍ଛା ହେଉ’’ ବୋଲି ଅସ୍ଫାଳି ସଦମ୍ଭେ

 

 

ରହିଲା କ୍ଷଣକେ ସ୍ଥିର

ପରକ୍ଷଣେ ଦପେ ଛାତିକୁ ଫୂଲାଇ

 

 

ଓଟାରି ଧରିଲା ତୀର–

ବରଗିଏ ଦୂରୁଁ ଦେଖିଲେ ସଭୟେ

 

 

ବୁଢ଼ା କରିଅଛି ନାଖ,

ସରଦାର ମୁଣ୍ଡ ଏଣେ ହାତ ତାର

 

 

ଧରିଲାଣି ନିଶ ପାଖ !

‘‘ଦେଖ, ଦେଖ !’’ ବୋଲି ତୀରସହ ହାତ

 

 

ନିଶପରେ ରଖି ଦଣ୍ଡେ

ଦେଖୁଁ ଦେଖୁଁ ବୁଢ଼ା ଛାଡ଼ିଦେଲା ଶର

 

 

ବରଗୀନାୟକ ଗଣ୍ଡେ !

ସରଦାର ଏଣେ ଶିଙ୍ଗା ଫୁଙ୍କି ଆଜ୍ଞା

 

 

ଦେଉଥିଲେ’’ ମାର ମାର’’,

ନିଶପରେ ହାତ, ଶିଙ୍ଗାଟିରେ ମୁଖ–

 

 

ଅଧରେ ହାସ୍ୟର ଗାର

ଫୁଙ୍କା ହେଲା ନାହିଁ ଶିଙ୍ଗା ନାୟକଙ୍କ

 

 

ଅକୁହା ରହିଲା କଥା

ପପାତ ଧରଣୀ-ତଳେ ବୀରବର

 

 

ସହ ନିଶ ସହ ମଥା !

Image

 

ନାପିତୁଣୀର ଗାନ୍ଧୀ-ପୂଜା

(ମାୟାଧର ମାନସିଂହ)

–୧–

ଆସିବ ମହାତ୍ମା ଗାନ୍ଧୀ ପତିତ ଉଦ୍ଧାରେ

ଶୁଣେ ଗ୍ରାମ –ନାପିତୁଣୀ ତା ଗ୍ରାମତୋଟାରେ ।

ବାନ୍ଧୁଛନ୍ତି ସ୍ୱେଚ୍ଛା-ସେବୀ ତାଳପତ୍ର –ବାସ,

ଲାଗିଅଛି ଜନତାର ଦ୍ରୁତ ଯାଆ ଆସ ।

ଦେଖୁଛନ୍ତି ନବ ଲୀଳା ଗ୍ରାମ-ନର-ନାରୀ,

ହେଉଛନ୍ତି କୁହାକୁହି ପଚରାପଚରି ।

କି ଦେବେ ଗାନ୍ଧୀରେ ଭେଟି; ବରିଦ୍ର ସକଳେ–

ହେଲେ କି ଦେବତା-ଦେଖାହେବ ରିକ୍ତ-କରେ ?

ରିକ୍ତ ହସ୍ତେ କରିବାକୁ ରାଜ-ଦରଶନ

ଦରିଦ୍ର ହେଲେହେଁ ତାଙ୍କ ମାନୁ ନାହିଁ ମନ ।

ଦିନୁ ଦିନ ନାପିତୁଣୀ ଭାବେ ମନେ ମନେ–

‘ମୁଁ କିସ ବନ୍ଦିବ ନେଇ ? କିଛି ହେଲେ ଆନେ

ଦେଇ ଅର୍ଚିବେ ସେ ପୁଣ୍ୟ ଚରଣ ଯୁଗଳ,

ମୋର ତ ସେଲାଗି ନାହିଁ କିଛିହଁ ସମ୍ବଳ !

ତେବେ କିଏ ପୁଣ୍ୟ ଦଣ୍ଡ ଯିବ ଖାଲି ଖାଲି !

ଦ୍ୱାରେ ମୋ ବାରୁଣୀ-ବୁଡ଼ି, ପାତକ ପଖାଳି

ପାରିବିନି ପାତକିନୀ ? ପତିତ ପାବନ;

ହେ ଦେବତା ହେ ମହାତ୍ମା, ହେ ଗାନ୍ଧ-ରାଜନ,

କୋଟି କୋଟି ନରନାରୀ ନମନ୍ତି ପୟରେ

ଦରିଦ୍ର ମୁଁ ନାହଁ ବୋଲି ଧନ ମୋହ କରେ

ପାରିବନି ବନ୍ଦି ତବ ପରମ ଚରଣ,

ପାଇବିନି କିଛି ତବ ପୁଣ୍ୟ ବିତରଣ ?

ଜୀବନେ କରିନି ପୁଣ୍ୟ, ନିରକ୍ଷରା ନାରୀ,

ଅଜି ଏ ବୟସେ, ମାଥେ ବହି ପାପ ଭାରି

ଭାବଇ କରିଲେ ହେଲେ ତୋର ପଦାର୍ଚ୍ଚନ

ହୁଅନ୍ତା ବା କିଛି ହେଲେ ଧର୍ମ ଅରଜନ ।’

–୨–

ପ୍ରଭାତିଲା ବିଭାବରୀ, ପଡ଼ିଲା ଚହଳ

ଗ୍ରାମ-ଉପବନେ ଯହିଁ ଗାନ୍ଧୀ, ଗାନ୍ଧୀଦଳ

ହେଲେ ଆସି ଉପଗତ । ପଡ଼ିଲା ବିଚାର–

ନାପିତ ନାହିଁ ଏ ଗ୍ରାମେ ? ହୋଇବେ ସଂସ୍କାର

ମହାତ୍ମା ଏ ପ୍ରଭାତରେ ! –ସ୍ୱେଚ୍ଛାସେବିଗଣ

ଧାଇଁଲେ ତୁରିତେ ଗ୍ରାମେ କରି ଅନ୍ୱେଷଣ ।

ଫେରିଲେ ଯେବେ ସେ ପରେ, ପୂର୍ବ ନାପିତୁଣୀ

ପଛେ ତାଙ୍କ, ଆଖି ଭୂମେ, ମୁଖେ ନାହିଁ ବାଣୀ ।

ସୁସଜ୍ଜିତା ଓଡ଼ିଆଣୀ ଆୟ-ଅଳଙ୍କାରେ,

ଭଂଜୀୟ ନାୟିକା ଯେହ୍ନେ ଚଳେ ଅଭିସାରେ !

ସ୍ତବ୍ଧ ସର୍ବ ସଭା-ଜନେ, ଗାନ୍ଧୀ ସ୍ମିତେ ହସେ

ନାପିତୁଣୀ ଆଗମନେ, କୌତୁକ-ରଭସେ ।

ଭାଷନ୍ତି ମହାତ୍ମା ହସି ‘ଆଚ୍ଛା ତ ଏ କଥା !’

ନାପିତୁଣୀ ଖୁର ଘଷେ କିନ୍ତୁ ପୋତି ମଥା

ଏକ ଯୋଗେ ଏକ ମନେ, ଧୀରେ ଦେଇ ଜଳ;

ମହାତ୍ମା ସହିତେ ସ୍ତବ୍ଧ ସର୍ବ ସଭାସ୍ଥଳ ।

କ୍ରମେ ସେ ପରଖି ଖୁର, ମୁଣ୍ଡେ ଥାପି କର

ନିରକ୍ଷରା ଓଡ଼ିଆଣୀ କରିଲା ଉଜ୍ଜ୍ୱଳ

ପତିତ-ପାବନ ମହା-ମାନବ ଗାନ୍ଧୀରେ

ମସ୍ତକେ ବୁଲାଇ ଅସ୍ତ୍ର, ହସ୍ତ ଦେଇ ଧୀରେ

 

ଦୁଇ ଗଣ୍ଡେ, ଚିବୁକରେ ପରମ ଆଦରେ

ଆଣିଲା ବୁଲାଇ ଖୁର ଚରଣ ଯୁଗଳେ

ନମି ପୁଣି ନଖପନ୍ତି କରିଲା ନିର୍ମ୍ମଳ

ଅତି ଯତ୍ନେ ଦେଇ ତାର ସମଗ୍ର କୌଶଳ ।

ପଚାରନ୍ତେ ଗାନ୍ଧୀ ତାରେ ‘ପିନ୍ଧିଛ ଜନନୀ !

ଏ ଯେଉଁ ଭୂଷଣ-ଭାର କି ଲାଭ କହ ନି–

ହୁଅଇ ଏଥିରେ ତବ !’’ ‘–ଭାଷଇ ଗଦ୍ ଗଦ

ନାପିତୁଣୀ ସ୍ନିଗ୍ଧ-କଣ୍ଠେ–’ ମୋହର ସଂପଦ

କହିଁଛି ହେ ମହାଭାଗ, ପାଇବି ଭୂଷଣ !

ଏସବୁ ଆଣିଛି ମାଗି ତୁମରେ ଦର୍ଶନ

କରିଚି ବୋଲି ମୁଁ ଆଜି । ବିନା ଭୂଷଣରେ

କେମନ୍ତେ ଆସନ୍ତି ଦେଖି ଦେବତା ତୁମରେ ?

ତାପରେ ତା କରେ ଯେବେ ଗୁଞ୍ଜିଲେ ତା ମୂଲ

ଗାନ୍ଧୀଙ୍କର ପାର୍ଶ୍ୱଜନେ; ତୁରିରେ ତା ଠୂଳ

କରି ଧୀରେ ଗାନ୍ଧୀଙ୍କର ଚରଣକମଳେ

ଜୀବନର ପୁଣ୍ୟ ଘେନି ନାପିତୁଣୀ ଚଳେ ।

Image

 

ମରିନାହିଁ ସେ ତ ମରଣ-ଜୟୀ

(ରାଧାମୋହନ ଗଡ଼ନାୟକ)

 

କାଳ ମହରଗ ପଡ଼ିଥିଲା ଭାରି ଭୟଙ୍କର

ନ’ ଅଙ୍କର ।

ସୁନାର ଅମର ଉତ୍କଳ ତାର କାଳିମା ଛୁଇଁ ।

ହାଡ଼ମାଳ ଘେନି ଦିଶୁଥିଲା ସତେ ମଶାଣିଭୂଇଁ ।

ଲକ୍ଷ୍ମୀର ଦେଶ ହୋଇ ଯାଇଥିଲା ଆହା କି ଜୂର !

ହା ଅନ୍ନ ଡାକେ ପୂରି ଉଠୁଥିଲା ପଲ୍ଲୀପୁର ।

ଦୁଇ ତିନି ଦିନେ ନ ପାଇ ଢୋକ

ଝଡ଼ିପୋକ ପରି ଝଡ଼ି ପଡୁଥିଲେ ବହୁତ ଲୋକ ।

କଳନା ନାହିଁ,

ହାଇ ରେ ହାଇ ।

 

କଟକ ଜିଲ୍ଲାର ଅଜଣା ସେ କେଉଁ ପଲ୍ଲୀ କଣେ

କେବଳ ଜଣେ,

ବାର ବରଷର କେବଳ ଭିକାରୀ ବାଳକଟିଏ

ମରଣର ଦାଉ ଜୟ କରିଥିଲା ମରତ ଦିହେ ।

ତା’ଗୀତ ଆଜି

ଆକାଶ ବତାସେ ପ୍ରତି ନିଶ୍ୱାସେ ଉଠୁଚି ବାଜି ।

ସନାତନ ତେବେ ଭାରି ଦୁଖେ

ଦୂର ଗ୍ରାମେ ଯାଇ ଭିକ ମାଗୁଥିଲା କାତର ବୁକେ ।

ସବିଏ ଆତୁର ବଞ୍ଚାଇବାକୁ ଜୀବନଟିକ

ଏତେବେଳେ ଭଲା କିଏ ସେ କହାକୁ ଦେଉଚି ଭିକ ।

 

ଦୁଇ ଦିନ ଯାଇ ତିନି ଦିନ ହେଲା ତଥାପି କାହିଁ

କପାଳେ ତାହାର ଖୁଦ ମୁଠିଏ ବି ଜୁଟିଲା ନାହିଁ ।

ଚରକି ପରାଏ ଘୁରି ଘୁରି ସିଏ ହୋଇଲା ଅଥା

ଘିଁ ଘିଁ ତାର ଘୁରିଲା ମଥା ।

ସାତଆଠ ଘର ଘୂରିବାର ପରେ ଫିଟିଲା ମୁଦ

ସା’ନ୍ତରା ଘରୁ ପାଇଲା ଯେବେ ସେ ଦିଓଟି ଖୁଦ ।

କପାଳେ ଲଗାଇ କହିଲା,’’ପ୍ରଭୁ,

କିସ ଜଣାଇବି ? ବାଳୁତର ଦୁଃଖ ଜାଣ ତ ସବୁ ।’’

 

ଠିଆ ହେଲା ଯହୁଁ ଆର ଦୁଆରେ,

ପଧାନ ବୁଢ଼ାଟି କଅଁଳେଇ ତାକୁ କହିଲା, ‘ବା’ରେ

ଦେଇଥିଲେ ପ୍ରଭୁ ଧନସମ୍ପଦ ସହାସୁଖରେ

ଦିନ ଯାଉଥିଲା– ପୁଅ-ଝିଅ-ଶିରା-କଉତୁକରେ ।

ଏଇଖିଣି ଆମେ କାଙ୍ଗାଳ ଜାଣ ତୋହରି ପରି

କିସ ମୁଁ ଦେବି ରେ ଦୁଇଦିନ ହେଲା ଜଳି ନି ଚୁଲି ।

 

ସେଇ ଯେ ଦିଶୁଛି ଧୋବଲା କୋଠା

ସେଇଠିକି ଗଲେ ମିଳିପାରେ ଅବା ମୁଠେ ଦି’ମୁଠା ।’’

ଡାକିଲା ଯାଇ ସେ ଜମିଦାର ଘର ଫାଟକ ଆଗେ,

ଦଣ୍ଡକ ପରେ ଦାସୀଟାଏ ଭା’ରି ପଡ଼ିଲା ରାଗେ ।

‘‘ଭିକ ତ ମାଗିବୁ କିଆଁ ରେ ଏଡିକି ପାଟିଟେ କରୁ ?

ସା’ନ୍ତେ ଉଠିଲେ ଛାଡିଯିବ ତୋର ପିଠିରୁ ଗଳ୍ପ ।

ଏଇଠି ପଡ଼ିଚି ଏଇଠି ତୁମର ହୋଇଚି ଠିକ୍‍

ଦିନ ରାତି ଖାଲି କେଳେଇ ଖାଉଚ ଭିକ-ଭିକ ।’’

ଆହୁରି ତାପ

‘‘ଅରଜି ଆଣି କି ଥୋଇ ଦେଇଅଛି ତମର ବାପ ?’’

 

ଭିକାରୀର ବୁକେ ବିଦ୍ରୋହ-ନିଆଁ ଉଠିଲା ଜଳି

ପୁଣି କି ଆବେଶେ ନୟନ ନିମିଷେ ଗଲା ତ ମରି ।

ସନାତନ ତହୁଁ ଉତ୍ତର ଦେଲା ଭାରି ନରମ,

‘‘ଦାତା ଅରଜିଚି ଦେଲେ ତାର ହେବ ଭାରି ଧରମ ।’

 

‘‘ଧଅ ଧଅ ବେଗେ ପଡ଼ିଚି ମୋହର-କାମ ବହୁତ

ପୋଲାଖିଆ ସାଥେ କେ କହି ପାରିବ ?’’

କହୁ କହୁ ତ

ଚାଉଳ ମୁଠିକ ଚଞ୍ଚକେ ଅତି ଚଞ୍ଚଳେ

ଛିଞ୍ଚାଡ଼ି ଦେଲା ମୁକୁଳା ତାହାର ଅଞ୍ଚଳେ ।

 

ଗୁଡ଼ିଆ ଦୋକାନ ଦେଖିଲା ଯେଉଁ ସେ ଅଳପ ଦୂରେ

‘‘ମୁଢ଼ି ମୁଠେ ମିଳୁ‘‘ଜଣାଇଲା ବଡ କାତର ସୁରେ ।

ଦୋକାନୀ କହିଲା,’’ମୁଁ ବେବସାୟୀ

ବିକାକିଣା ଯାଗା, ଏଠି ଯେ ଖୋଜୁବୁ ମାଗଣା କାହିଁ ?’’

 

‘‘ତିନି ଦିନ ହେଲା ମରୁଚି ହଇ ହେ ଗୁଡ଼ିଆ ସାଉ,

ମୁଠେ ଦିଅ, କିସ ଭାବୁଚ ଆଉ ?’’

‘‘ଯା, ଯା ଏଠୁ ଦେଇ ଦେଇ ଆମେ ମଲୁଣି ଭଲା

ତୁଉ ମରିଗଲେ ସଂସାରେ କାର କଅଣ ଗଲା ?’’

 

ଫଅଁ କର ଗୋଟେ ନିଶ୍ୱାସ ମାରି ହତାଶ ବୁକେ

ଦାଣ୍ଡେ ଦାଣ୍ଡେ ଚାଲିଲା ବାଳକ ଭା’ରି ଦୁଖେ ।

କୁଆଡ଼େ କାହିଁ ।

ଦୃଷ୍ଟି ଫେରାଇ ଚାହିଁଲା ନାହିଁ ।

 

ଗାଆଁ ମୁଣ୍ଡରେ ଚାଳ ଘରଟିଏ–ମୁହଁରେ ତାର

ବଉଳ ଗଛଟି ମେଲିଚି ପତର-ଗହଳ ଡାଳ ।

 

ବସି ଗଲା ସେଇ ପିଣ୍ଡାପରେ

ଆକାଶ ପାତାଳ ଭାଳିଲା ବହୁତ ମରମ ତଳେ ।

 

ଘଡ଼ିକେ ସେ ଘରୁ ବାହାରିଲା ଜଣେ ପୌଢ଼ା ନାରୀ

ଥକା ହୋଇ ତହି ଛିଡ଼ା ହୋଇଗଲା କଅଣ ଭାଳି ।

ବୁଲାଇ ସେନେହ-ସଜଳ ଆଖି

ସନାତନ ଦେହେ ଅମିୟ ପରଶ ଦେଲା କି ମାଖି ?

 

ସ୍ନେହ-କାଙ୍ଗାଳ ବାଳକର ହିୟା ବୁଝିଲା ତାହା

ସତେ କି କୁଆଡ଼େ ଦୂର ହୋଇଗଲା ପ୍ରାଣର ଦାହା !

ତରୁ-ଛାଇ-ହୀନ ମରୁର ପଥେ

ସ୍ଫଟିକ ଜଳର ଝରଣା ଗୋଟିଏ ଦେଖିଲା ସତେ !

 

ବହୁତ ଭରସା କରି ସେ କହିଲା ବିନୟ-ବାଣୀ,

‘‘ପିଇବାକୁ ମତେ ଦେବ କି ମାଉସି, ଟୋପାଏ ପାଣି ?

ଦେବ ଯଦି ଦିଅ, ବେଇଗି ଦିଅ,

ତିନି ଦିନ ହେଲା ତୋରାଣି ଦେଖିନି, ଜଳୁଚି ଦିହ ।’’

 

ତର ତର ହୋଇ ଘରେ ଯାଇ ତହୁଁ କରୁଣାମୟୀ

କଂସାଏ ଭାତ ଆଣି ସେଇଲଗେ ଥୋଇଲା ତହିଁ,

 

‘‘ପିଇ ଦେ, ଆରେ, ଲାଗିବ ଭଲ,

ହାଲିଆ ଦେହରେ ଆସିବ ହେଲେ ରେ ଟିକିଏ ବଳ ।’’

 

ସନାତନ ତହୁଁ ପିଇଲା ଉପର ତୋରାଣିତକ

ମାଇଲା ଧକ ।

ଯେଉଁ ଭାତତକ ରହିଥିଲା ତହୁଁ ନ ଖାଇ କଳେ

କରୁଣାମୟୀକି ଚାହିଁଲା ବିକଳେ ଅତି ବିକଳେ ।

 

‘‘ତିନି ଦିନ ହେଲା ଆରେ ବାପ କିଛି ଖାଇନୁ ପରା

ଖାଇ ଦେଉ ନାହୁଁ, ମନରେ କଅଣ ଭାବୁଚୁ ଭଲା

ମନରେ କଅଣ ଭାବୁଚୁ ଆଉ ?

ଲୁଚାଉଚୁ କିଆଁ ଖୋଲି କରି କହ ଗୋଳିଆ ଯାଉ ।’’

 

‘ନାହିଁ ଗୋ ମାଉସି, କିଆଁ ଲୁଚାଇବି ତୋ’ ଆଗରେ ?

ଆସିଲା ବେଳେ ତ ଖାଇବାକୁ କିଛି ନ ଥିଲା ଘରେ ।

ଜର ଭୋଗୁଥିଲା ବୋଉ ମୋର କିଛି ନ ଥିବ ଖାଇ

ଆଉଟି ପାଉଟି ହେଉଥିବ ଖାଲି ମୋ ସାନ ଭାଇ,

କହିଲା କିମିତ ଦେବି ମୁ ଗିଳି ?

ଘରେ ନେଇ ଗଲେ ଖାଇବୁ ଏତକ ସବିଏ ମିଳି ।’’

 

 

ଆକାଶ ପାତାଳ ଭାଳିଲା ସେ ତହୁଁ ମରମଗତେ

କଅଣ ସତେ !

‘‘ପିଲା ବକଟେ ତୁ କେତେ ବଡ଼ ଗୁଣ ଅଛୁ ରେ ଧରି !

ମୋହରି ଥିଲା ଯେ ରଙ୍କୁଣୀ ଆଳ

ଗୁଣର ସେ ଥିଲା ତୋହରି ପରି ।’’

 

କହୁଁ କହୁଁ ତାର କଂପି ଉଠିଲା ମୁଖ’ର କଥା

ଲୁହ ଜମି ଉଠି ଛଳ ଛଳ ହେଲା ଆଖିର ପତା ।

‘‘ଆଉ କିଆଁ ତେବେ କରୁଚୁ ମଠ ?

ବୋଉ ଭାଇ ତୋର ଚାହିଁ ରହିଁଥିବେ ଯା’ତୁ ଝଟ ।’’

 

ଭାତ ପୁଟୁଳାଟି ବାନ୍ଧିଲା ଅତି ଯତନ କରି

ମନରେ ଆତୁର ଅବେଗ ଧରି,

ଯାଉଚି କହି ସେ ଚଞ୍ଚଳ ହୋଇ ହେଲା ବାହାର

ଘର ମୁହଁ । ବାଟ ଭାରି ଉଚ୍ଚାଟ ମନ ତାହାର !

 

ଉପାସିଆ ଦେହ-ମୁଣ୍ଡ ତେ ଝାଇଁ ମାରି ନେଉଚି

ପାଦ ଟଳ ଟଳ ତଥାପି ସଜୋରେ ପଥ ବାହୁଚି ।

ଉପରୁ ମାରୁଚି ନିରାଟ ଖରା,

ଦିହେ ଦିହେ ତାର ଗଳି ଯାଉଅଛି ଅନଳ ପରା !

 

କିଛି ବାଟ ଗଲା ନାମ-ଜଣା-ନାହିଁ ନଈର କୂଳେ

ବସିଲା କଷ୍ଟେ ପୁରୁଣା ସେ ବରଗଛ ମୂଳେ ।

ଟୁପ୍ ଟୁପ୍ ଟୁପ୍ ପଡ଼ିଲା କେତୋଟି ନାଲିଆ ଫଳ

ପେଟ ବିକଳରେ ଭରିଲା କଳ ।

 

ଭୋକ ତ ମରିନି ଓଲଟି ବଢ଼ିଲା, ହେଲା ନି ସହି

ଫିଟାଇଲା ତାର ଭାତ ପୁଟୁଳାଟି ଆବେଗ ବହି ।

ପୁଣି ସେ କି ଭାବି ପୂରୁବ ପରି

ବାନ୍ଧିଲା ସେଇ ଭାତ ପୁଟୁଳାଟି ଯତନ କରି ।

 

ଆହୁରି ବହୁତ ରାସ୍ତା ରହିଚି ଅଢ଼େଇ କୋଶ

କେମିତି ଭଲା ସେ ମାରିବ ଭୋକ ରେ ମାରିବ ଶୋଷ ?

ନଈ-ଧାରେ ଯାଇ ଆକୁଳେ ପିଇଲା ଗିରାସେ ପାଣି

ଛାଇକି ନେଉଟି ଆସିଲା ଭଉତ କଷ୍ଟ ମାନି ।

 

ଭାତ ପୁଟୁଳାଟି ଜଡ଼ାଇ ବୁକେ,

ଭୂଇଁ-ଶେଯତଳେ ଶୋଇ ପଡ଼ିଲା ସେ ବିରାମ ସୁଖେ ।

କଅଁଳି ପବନେ ଚାହୁଁ ଚାହୁଁ ଆହା ନୟନେ ତାର

କାହୁଁ କାହୁଁ ନିଦ ଭରିଗଲା ସତେ ଅନ୍ଧକାର ।

 

 

ବେଳ ଖସିଗଲା–ଖରା ମଉଳିଲା–ଆଉ ତ କାହିଁ

ସନାତନ ତହୁଁ ଉଠିଲା ନାହିଁ ।

ବିଞ୍ଚାଡ଼ ଦେଇ ଚାଉଳଟିମାନ ଭାତଟିମାନ

କାଆ କାଆ ରାବି କୁଆ ଉଠାଇଲେ ଭୋଜିର ତାନ ।

 

ଯାଉଁ ଯାଉଁ କେହି କହିଲା ସିଆଡ଼େ ଲକ୍ଷ୍ୟ କରି

‘‘କିଏ ସେ ଗୋଟିଏ ଯାଇଚି ମରି ।’’

ଆକାଶ ବତାସ କାନେ କାନେ ତାର ଉଠିଲା କହି–

‘‘ମରି ନାହିଁ ସେ ତ ମରଣ-ଜୟୀ ।

Image

 

ପାଇକ ବିଦ୍ରୋହ

(ଜ୍ଞାନୀନ୍ଦ୍ର ବମା)

 

ସେକାଳେ ନ ଥିଲେ ଏ ଦେଶର ଲୋକ

ଆଜିର ପରାଏ ଏଡ଼ିକି ହୀନ,

ଫିରିଂ ଶାସନ ଅସହ ହେବାରୁ

ବଚଳିତ ହେଲେ ଦିନକୁ ଦିନ ।

ଚାହିଁ ଚାହିଁ ଶେଷେ ଆଉ ନ ପାରିଲା

‘ଅଧିକ ଦୂରକୁ ଜୀବନ ଚାହିଁ,

ଜାଗିଲା ଦ୍ୱନ୍ଦ, ଜାଗିଲା ଅନ୍ଧ

ଚିର ରଣ-ପ୍ରାଣ ଖୋଜିଲା ତ୍ରାହି ।

ହାତର ବର୍ଚ୍ଛା କ୍ଷିପ୍ତ ହୋଇଲା

ତିର୍ଯ୍ୟକ ହେଲା ଆଖିର ଗତି,

କର୍କଶ ହାତେ କାର୍ମୁକ କଷି

ଡାକିଲା ପାଇକ ଜଳାଅ ବତୀ ।

ଭାତର ପତରୁ ଲୁଣ ହଜିଲାଣି,

ଜାୟ ଜାଗିରୀରେ ବସିଲା ଖୁର,

ଟିକି ଟିକି ହୋଇ ମରିବ କିଆଁ ରେ

ଅମେ ବିଦାରିବା ମରମ-ପୁର ।

ଗଜପତି ରାଜା ଫକୀର ହୋଇଲା,

ଚାକ୍ସି ବାଟର ଭିକାରୀ ହେଲା,

ଜଗନ୍ନାଥର ମଣୋହୀ ମଲାଣି,

ସକଳ ଦିଗରୁ ବୁଡ଼ିଲା ଭେଳା ।

ପାଇକ କହିଲା, ପାଇକ ଚାହିଁଲା,

ପାଇକ-ବଳିକା ଘଷିଲା ତୀର,

ଘୁମୁସର କଣ୍ଠଁ ଶୁଭିଲା କାହାଳୀ

ଶିଶୁ ଛାଡ଼ି ଚାହେଁ ଜନନୀ କ୍ଷୀର

ଖୋରଧାର ବଣ, ଖୋରଧାର ଗାଆଁ

ଧୀରେ ଧୀରେ ହେଲା କଲ୍ଲୋଳିତ,

ଗ୍ରାମେ ଗ୍ରାମେ ଉଠେ ଶିଂଗା ଶବଦ

ପ୍ରାଣ କରି ଅତି ଉଚ୍ଛସିତ ।

ସମର..... ସମର ବିପୁଳ ସମର.....

ସମର ନୁହେଁ ଏ ଗତ ଦିନର,

ଅଶନ, ବସନ, ଜୀବନର ଲାଗି

ସମର-ଯାତ୍ରା ମହାଜନର ।

ଦେଶ-ଜୟ ଲାଗି ଜାଗି ନି ପାଇକ,

ଜାଗି ନି ସଇନି କାଞ୍ଚି ଆଶେ,

 

ରକତ-ଶୋଷକ ଫିରିଂ ଆସିଛି

ତିଳ ତିଳ କରି ଜୀବନ ଗ୍ରାସେ ।

ଗ୍ରାସଇ ଆଜି ରେଫିରଂ ଶାସକ,

ଖଣ୍ଡା କାଢ଼ଇ ଖଣ୍ଡାୟତ,

ଦଳବେହେରାର ରୁଦ୍ର କୁହାଟେ

କ୍ଷଣେ ଭରିଯାଏ ପଲ୍ଲୀ-ପଥ ।

ରୋଡ଼ଂ ରହିଲା ରାହାଂ ଗରଭେ

ନୂଆ ରାଜନୀତି, ପୁରୁଣା ବୀର,

ଓଡ଼ିଶା ଦେଶର ପାଟ ସେନାପତି

ଜଗବନ୍ଧୁର ନିଭିଛି ଗୀର ।

ସାହେବ-ଦିଆନ କୃଷ୍ଣଚନ୍ଦ୍ର

ବକ୍‍ସିର ଆଗେ ହସଇ କିବା,

ଓଡ଼ିଶା ଦେଶର ସେନାପତି ପୁଣି

ଜନତାର ଦାନେ ଯାପଇ ଦିବା ।

ଜମିଦାରୀ ସହ ଜାଗିରି ଯାଇଛି,

ରାଜା ବି ହୋଇଛି ରାଜ୍ୟହରା,

‘‘ମକଦମା କର ଆଦେଶ ଆସିଛି,

ଦାବୀ କର ହୋଇ ସର୍ବହରା ।’’

 

ଫିରିଂ..... ଫିରିଂ..... କେଉଁ ଦେଶର ଏ,

ସେ ଦେଶେ ନାହିଁକି ମହତ-ମାନ,

ବାହୁରେ ସ୍ପୋଟକ ମାରି ହେଲା ବୀର,

ଏକାଳେ ଶୁଭିଲା କାହାଳୀ-କାନ ।

ଅସ୍ତାବଳରେ ଅଶ୍ୱ ଡାକିଲା,

କୁଙ୍କୁମ କିଏ ବୋଳିଲା ଭାଲେ

ତନ୍ଦ୍ରା ତୁଟାଇ ବକ୍ସି ଦେଖଇ

ଆଉ ନାହିଁ ବେଳ ସଇନି ଚାଲେ ।

ଚାହାଂ ନୁହଇ ରୋଡଂ ନୁହଇ

ଆଜି ଆସିଅଛି ଦେଶର ଡାକ,

ପାଇକ ଏ ନୁହେ ବକ୍ସି ଏ ନୁହେ,

ଆଜି ଜାଗିଅଛି ଦେଶଟା ଯାକ ।

ଦୁରେ ମିଶିଗଲା ଅଶ୍ୱର ହ୍ରେଷା

ପବନେ ଭାସିଲା କଦମ୍ବକ

ବହୁଦିନ ପରେ ଅସ୍ତ୍ର ଡାକିଛି

ଜାଗିଛି ଅରାତ ଉଚ୍ଛେଦକ ।

ତିମିରେ ଲୁଚିଲା ବକ୍ସିର ତନୁ

ଦ୍ୱାରେ ଦ୍ୱାରେ ବୀର-ଲଳନା ଆଖି

 

ଓଡ଼ିଶାର ଶେଷ ସେନାପତି ଛବି

କେବଳ ରଖିଲା ନିଖୁଣେ ଆଁକି ।

ଶହେ ବରଷରୁ ଉର୍ଦ୍ଧ୍ୱ ହେଲାଣି,

ବହୁତ ଦିବସ ତଳର କଥା,

ଇତିହାସ ଖୋଲି ଜାଣି ହେବ ସବୁ

ଦେଶ ଲାଗି ଦେଲେ କେତେକ ମଥା ।

ଫିରଂ ଶାସନ ଟଳମଳ ହେଲା

କମ୍ପି କଟକ–ଓଡ଼ିଶା ସାରା

ଜଳିଲା ଖୋରଧା, ବାଣପୁର, ଗୋପ,

ମାତିଲା କୁଜଂ, କନିକା, ପାରା,

ଅସୁରେଶ୍ୱର, ତିରଣ ଜଳିଲା

ହରିହରପୁର ସହିତେ ପୁରୀ;

ତଥାପି ନ ଜଳି ରହିଗଲା ସେହି

ବିଦେଶୀ-ଶାସନ-ଯନ୍ତ୍ରପୁରୀ ।

ଶହୀଦ୍ ବକ୍ସି, ଶହୀଦ୍ ସେନାନୀ,

ବନାନୀରେ ନେଲେ ଆପଣା ପଥ,

ବୀର ବାଳା-ବଧୂ ଅନାଇ ରହିଲେ

ନେଉଟିଲା ନାହିଁ ରୁକୁଣା ରଥ !

 

ଗୋଟି ଗୋଟି ହୋଇ ମସ୍ତକ ଦେଲେ

ସହି ନେଲେ ନାହିଁ ଶାସନ ହୀନ,

ମରି ମରି ସେହୁ କରି ଗଲେ ଶେଷେ

ଆମ ଇତିହାସେ ମୂଲ୍ୟ ଦାନ ।

ଭାରତ ଯେ କାଳେ ନିଦ୍ରିତ ଥିଲା

ବିଦ୍ରୋହ ନବ ନ ଥିଲା ଜାଣି,

ଆମରି ଦେଶର ବୀର-ଅନ୍ତରେ

ଉଠିଥିଲା ତାର ପ୍ରଣବ-ବାଣୀ ।

ଶହୀଦ ପାଇକ, ଶହୀଦ୍ ସେନାନୀ,

ଶହୀଦ୍ ବକ୍ସି ବିଦ୍ୟାଧର,

ମରି ନାହଁ ତମେ କେବଳ ଗଢ଼ିଛ

ଆମ ଇତିହାସ ଗନ୍ତାଘର ।

Image

 

ସାଧବ ଝିଅର ଗୋଟିଏ କଥା

(ବିନୋଦ ଚନ୍ଦ୍ର ନାୟକ)

 

(୧)

ଶୁଣ ଲୋ ଝିଅ ମୋ !

 

କହିବି ମୁଁ ତତେ ଗୋଟିଏ କଥା,

ସାଧବ ଘରର ସାତ ବୋହୂ, ଖାଲି

 

ଗୋଟିଏ ଝିଅ, ନାଁ କନକଲତା ।

ସାଧବ ବୁଢ଼ାର ଗେଲବସର ସେ,

 

ନାତୁଣୀରେ ତାର ଶରଧା ଭାରି ।

ବଣିଜରେ ଗଲେ ସାଧବ, ନିଏ ତା’

 

ସାଥିରେ ତାହାକୁ ଦରିଆ ପାରି ।

ଶୁଣ ଲୋ ଝିଅ ମୋ ! ଶୋଇ ପଡୁଛି କି !

 

ଶୋଇଲେ କହିବି ନାହିଁ ମୁଁ କଥା,

ବୋଇତରେ ବସି ଦରିଆର ପାରି

 

ଦିନେ ଗଲା ଚାଲି କନକଲତା !

 

(୨)

ଯାପାନୀ ସାଗର ଉପକୂଳୁଁ ଦୂରେ

 

ବୋଝାଇ ବୋଇତ ସେଦିନ ଭାସେ,

ଦୂର ଦ୍ୱୀପ କ୍ଷେତୁ ଲବଙ୍ଗ ଫୁଲ–

 

ଗନ୍ଧ ପବନ ଆଣଇ ପାଶେ ।

ନୀଳ ଲହରୀର ଫେନପୁଞ୍ଜରେ

 

ବୁଡ଼ିଗଲା ଧୀରେ ରବିର ତରୀ,

ସନ୍ଧ୍ୟା ଆସିଲା ନୀଳମେଘୀ ପାଟେ

 

ଘୋଡ଼ାଇ ଆକାଶ ଯତନ କରି ।

ସପ୍ତମୀ ତିଥି ଚନ୍ଦ୍ର ଉଇଁଲା

 

ମେଘର ଉଢ଼ାଳେ ଲୁଚାଇ ମଥା,

ଅଜା କହୁଥିଲା ସାକ୍ଷୀଗୋପାଳ–

 

ଗପ, ଶୁଣୁଥିଲା କନକଲତା ।

 

(୩)

ବୋଇତର ବୁଢ଼ା ଖଲାସି ଆସିଣ

 

ସଲାମ ଜଣାଏ ସାଧବ ଆଗେ–

‘‘ହୋୟାଂହୋ ନଦୀ ମୁହାଣ ଆଗର

 

ବନ୍ଦରେ ଆସି ବୋଇତ ଲାଗେ,

ଚନ୍ଦ୍ରରେ ଦିଶେ ଆଲୋକ-ପରିଧି,

 

ଝଡ଼ ଆସିପାରେ ରାତ୍ରି ବେଳେ,

ନଙ୍ଗର ଦେବି ନଦୀର ମୁହାଣେ

 

ସକାଳର ଯାଏ ହୁକୁମ ହେଲେ ।’’

ବୁଢ଼ା ମାଝିସିଏ, ବଙ୍ଗସାଗରେ

 

କେତେ ଝଡ଼ ତାର ଛୁଇଁ ଛି ମଥା,

ସାକ୍ଷୀଗୋପାଳ ଅଶୁଣା ରହିଲା,

 

ଚକିତେ ଚାହିଁଲା କନକଲତା ।

 

(୪)

ପିକା ଟାଣି, ପାଟି କଣେ କୁଣ୍ଡଳୀ–

 

ଧୁଆଁ ଛାଡ଼ି, ହସେ ସାଧବ ଧୀରେ,

‘‘ଅକ୍‍କଲ ନାହିଁ ବୁଢ଼ା ଖଲାସିର

 

ବୁଢ଼ା ବେଳେ ଡର ଛାଡ଼ି ନି କି ରେ !’’

ଚାଲଇ ବୋଇତ, ଦିଗରେଖା ଭେଦି

 

ନୀଳ ଜଳରାଶି କଚାଡ଼ି ହୁଏ,

ସାଗର ସ୍ନାନ କି ସପ୍ତର୍ଷିତାରା

 

କରି ନିଏ ! ନଭେ ଲହରୀ ଛୁଏଁ ।

ଚନ୍ଦ୍ର ନିଭିଲା ସ୍ତୁପ ମେଘମେଳେ–

 

ଅଳ୍ପଅର ଅଉ ନ ମିଳେ ପତା,

ସାଧବର କୋଳେ ଆଉଜି ବସିଲା

 

ଘୁଞ୍ଚି ଅଳପ କନକଲତା ।

 

(୫)

ପ୍ରଳୟ ଶଙ୍ଖ ବାଜିଲା ଆକାଶେ

 

ମେଘେ ଚମକଇ ବିଜୁଳି ରେଖା,

ଊର୍ମି ଉପରେ ଉର୍ମି ଉଠଇ

 

ତଟଭୂମି ନାହିଁ ଯାଏ ତ ଦେଖା ।

ସହସ୍ର ଫଣା ଟେକି ଫୁଫୁକାରେ

 

କାଳ-ନାଗୁଣୀ କି ଆସଇ ଧାଇଁ

ଚାରିଆଡ଼ୁ ଘେରି ସାଧବ ବୁଢ଼ାର

 

ବଣିଜ ତରୀକି ଗ୍ରାସିବା ପାଇଁ !

ବୃଷ୍ଟି ଆସିଲା ଘୋଟେ ଅନ୍ଧାର

 

ସୃଷ୍ଟି ଶେଷର ରାତ୍ରି ଯଥା

ସାଧବର କୋଳେ ଆଉଜି ବସିଣ

 

ଅନାଇ ରହିଛି କନକଲତା !

 

(୬)

ଗର୍ଜେ ସାଗର ଭୀଷଣ ରୋଷରେ

 

ଉବାଇ ଟୁବାଇ ବୋଇତ ହୁଏ,

ପାହାଡ଼ର ସମ ଲହଡ଼ା ଲହଁସି

 

ଉଚ୍ଚେ ଆକାଶ-ମେଘକୁ ଛୁଏଁ ।

କେରୁଆଳ ଛାଡ଼ି ପାଲା ଖୋଲି ଦେଇ

 

ନଙ୍ଗର ମାଝି ପକାଏ ପାଖେ

‘‘ଜୟ ଚକାଡ଼ୋଳା ପତିତ ପାବନ’’

 

ଶିରେ ହାତ ଯୋଡି ସାଧବ ଡାକେ ।

ଛୋଟ ହାତ ଟେକି’’ ଜୟ ଚକାଡ଼ୋଳା’’

 

କହି ନୁଆଁଇଲା ତଳକୁ ମଥା

ବିଦେଶୀ ସାଗରେ ତୋପାନର ତୁଲେ

 

ସେଦିନ ପ୍ରଥମ କନକଲତା ।

 

(୭)

କନକ ପଚାରେ’’ ଗୁଡ଼ୁମ ଗୁଡ଼ୁମ

 

ଶୁଭେ କିସ ଅଜା ଦୂରେ ସିଆଡ଼େ ?’’

‘‘ଆମପରି କେଉଁ ବୋଇତ ବିପଦେ

 

ସାହାଯ୍ୟ ଲୋଡ଼ି କମାଣ ଛାଡ଼େ ।

‘‘ନଙ୍ଗର ନାହିଁ ମାନଇ ବୋଇତ

 

କାହିଁ ବୁଢ଼ା ମାଝି ଖଲାସି କାହିଁ ?’’

ସାଧବ କହିଲା,’’ କନକ ! ଏଇଠି

 

ବସିଥା, କୁଆଡ଼େ ଯିବୁ ତୁ ନାହିଁ ।

‘‘ବୋଇତ ମଙ୍ଗ ସଳଖାଇ ଦେଇ

 

ଫେରି ଆସୁଛି ମୁଁ ।’’ ହଲାଇ ମଥା

ହଅଁ ଭରି ଏକା ସୁନା ଝିଅ ପରି

 

ନ ଡରି ବସିଲା କନକଲତା ।

 

(୮)

ସହସା ବୋଇତ ପିଟି ହୋଇଗଲା

 

ସାଗରର ଲୁଚା ପାହାଡ଼ ପରେ,

ଭାଜିଲା ମଙ୍ଗ..... ଗଦ ଗଦ ହୋଇ

 

ଚାରିଆଡୁ ପାଣି ବୋଇତେ ପଡ଼େ ।

‘‘ବୋଇତ ବୁଡ଼ୁଛି..... ଚଞ୍ଚଳ ଆସ ।’’

 

ଖଲାସି କେ କହେ ଆସିଣ ଧାଇଁ,

‘‘ନଉକା ଛାଡ଼ୁଛି ।’’ କନକ କହିଲା,

 

‘‘ଥାନ ଛାଡ଼ିବାକୁ ହୁକୁମ ନାହିଁ ।’’

ପଳାଏ ଖଲାସି ଜୀବନ ବିକଳେ

 

ବେଳ ନାହିଁ ଆଉ ଶୁଣିବ କଥା,

ଅଜାର ଫେରିବା ପାଇଁ ଥିର ମନେ

 

ବସି ରହେ ଏକା କନକଲତା ।

 

(୯)

ଉଚ୍ଚେ ଗରଜି ଆସିଣ ଲହଡ଼ା

 

କନକଲତାର ପଦରେ ଛୁଏଁ

ବୁଡ଼ୁଛି ବୋଇତ ତଥାପି କନକ

 

ଟିକିଏ ହେଲେ ବି ଅଧୀର ନୁହେଁ ।

ଆସିବ ତ ଅଜା କାହିଁ ଅଜା ଆଉ–

 

ମଙ୍ଗ ସାଥିରେ ଗଲାଣି ଭାସି !

ଗର୍ଜେ ସାଗର ଭୈରବ ରୋଷେ,......

 

କିଏ ଦେବ ଏଇ ଖବର ଆସି ।

ବଜ୍ର ବାଜିଲା ହଠାତ୍ ଆକାଶେ

 

ଉଠିଲା ଊର୍ମି ପ୍ରଳୟ ଯଥା;

ବୁଡ଼ିଲା ବୋଇତ ଅଥଳ ଜଳରେ

 

ବୁଡ଼ିଗଲା ଆହା କନକଲତା !

 

(୧୦)

ଯାପାନୀ ସାଗର ଊତ୍ତର ଦିଗେ

 

ତୁଷାରିତ ମେରୁ ସାଗର କୂଳେ

ମତ୍ସ୍ୟ-ଶିକାରୀ ନାଉରୀ ଦେଖିଲା

 

ଅପସରୀ କିଏ ଶୋଇଛି ଭୁଲେ ।

ନିକଟେ ଦେଖିଲା ଛୋଟ ଝିଅଟିଏ

 

ମଲା ପରି ନାହିଁ ଯାଏ ତ ଜଣା,

ଆଖିକୋଣେ ଜମି ତୁଷାର ହୋଇଛି

 

ଦୁଇଟି ଲଳିତ-ଲୋତକ କଣା ।

ତୁଷାରରେ ସାଜି ଦେଲା ତା ସମାଧି

 

ଚୀନା ନାଉରୀ ସେ । ସଇଲା କଥା

ଶୁଣିଲୁ ତ ଝିଅ, କଥା ରହିଗଲା

 

ଚାଲିଗଲା ସିନା କନକଲତା ।

Image

 

ବାଜି ରାଉତର ମାଆ

(ଅନନ୍ତ ପଟ୍ଟନାୟକ)

 

ମଉଳିଲା ସଭା, ଫେରିଲେଣି ସବୁ ଲୋକେ;

କାହିଁ ଅବା କିଏ ଗଳ୍ପ ରଚିଲେ ଥୋକେ ।

ପଉଷ ହିମାଳ କଲିଜା ଥରାଇ ବହେ,

ଢେଙ୍କାନାଳର ଦୃଦ କି ଅଗ୍ନି ଦହେ !!

 

ରାତ୍ରି ପାହିଲେ ବାଜିବ ସମର ଭେରୀ,

ସୈନିକ ଚାହେଁ ପଶ୍ଚାତେ ଟିକେ ଫେରି ।

 

ଛିନ୍ନ ଦସନ ମଳିନ ଆନନ ତୋଳି

ଅସୀମ କାଳର ଆକୁଳ ଆକୃତି ଗୋଳି

ଅତି ସକରୁଣ ସ୍ୱରେ–

ଜନନୀ କହିଲା ଥରାଇ ନୟନ ଜଳେ ।

 

‘’ତମେ ତ ଚାଲିବ ବାଜିଆ ଗଲା ଯେ ବାଟେ,

ଭିଡ଼ିବ ତରୀଟି ଭିଡ଼ିଲା ସେ ଯେଉଁ ଘାଟେ ।

ଶୁଣିବ ନି କଥା ପାଗଳ ହୋଇଚ ପରା,

କାହିଁକି ମରୁଚ କାହିଁକି ସେ ଅବା ମଲା ?

 

କୋଳ ପୁଅ ମୋର କୋଳରେ ଥା’ନ୍ତା ଶୋଇ

ତମ ଲାଗି ସିନା ବସିଲି ତାହାକୁ ଖୋଇ ।

ରାଇଜ ଯାକର ପରଜା ହୋଇବେ ସୁଖୀ,

ସେଥିଲାଗି ସିନା ହେଲି ମୁଁ ଲୋତକ-ମୁଖୀ ।

 

ସେଥିଲାଗି ସିନା ପଡ଼ିଲା ଟୋକାଟା ଢଳି,

ଅକାଳେ ଲୋଟିଲା ଦରପୁଟା ଫୁଲ-କଳି ।

ଦୁଃଖ ନାଇଁ ମୋର ଦୁଃଖ ଖାଲି ଲାଗେ ମନେ,

ସତେ କି କେବେରେ ସୁଖୀ ହେବେ ଦେଶଜନେ ?

 

ଚମକିଲା ଆଖି ରକ୍ତ ଉଠିଲା ଥରି,

ବାଷ୍ପ-ଆକୁଳ କଣ୍ଠ ଧରିଲା ଜଡ଼ି;

ପାରିଲୁନି କିଛି କହି,

ବୁଝିଲୁ କିଏ ସେ କଥା କହେ ପାଶେ ଲଇଁ ।

 

‘‘ପରଜା ସକାଶେ ଗଲା ସିଏ ଯାଉ ଦୂରେ

ଭିଡ଼ୁ ପଛେ ନାଆ ମରଣ-ସାଗର-କୂଳେ ।

ପରାଣ ଯାଉ ନି ଭୋକ ଅତୁରତା ନେଇ

ତେସନେ ଆଜି ତ ଯନ୍ତ୍ରଣା ଯାଏ ଦେଇ ।

 

 

ସତେ କି ଫେରିବ ଦୁଃଖ ?

ସତେ କି ଫୁଟିବ ଉଆଁସ କଟାଇ

ସୁନେଲି ସୂରୁଯ-ମୁଖ !

 

ସାନ୍ତ୍ୱନା ଦେବୁ ସାନ୍ତ୍ୱନା ଦେବୁ କା’ରେ ?

ଯେ ଆଜି ଓଲଟି ମୁକ୍ତିର ଦୀପ ଜାଳେ ।

ଯେ ମାଆ ରଚିଲା ବୁକୁର ରୁଧିର ଢାଳି

ଶିଶୁ ସେନାପତି ଶିରେ ଜୟ-ଟିକା ମାରି

ସନ୍ତ୍ୱନା ଦେବୁ ତା’ରେ ?

ଅନ୍ତର ଆମ ଭରିଲି ନିମିଷେ

ମୁକ୍ତିର ଉପଚାରେ ।

 

ନୁଆଇଁ ଆକୁଳେ ମଥା

ନୀରବ ରହିଲୁ ସୈନିକ ସବୁ

ମୁଖରିଲା ନୀରବତା ।

 

ସେନାପତି-ପଦେ ବରଣ କଲା ନି କେହି

ପୁଷ୍ପ-ମାଳିକା ଗଳଦେଶେ ତାର ଦେଇ ।

ଶଙ୍ଖ ଶବଦ ନ ଶୁଭିଲା ତାର ପଥେ

ଜୟଧ୍ୱନି ରୋଳ ନ ଉଠିଲା ଅବିରତେ;

ବାଳୁତ ବୀର ସେ ହସି

ଝଡ଼ର ଆବେଗେ ରଣାନଳେ ଗଲା ପଶି !

 

ଭଗ୍ନ ପାଇକ ପରାଣେ ଆଣିଲା ବଳ,

ଡାକିଲା ଉଚ୍ଚେ’’ତୋଳରେ ନିଶାଣ ତୋଳ ।

ମରିବାକୁ କିବା ଭୟ ?

ମର ପରା ତଳେ ଶତ୍ରୁ ବାହିନୀ

କରିବାକୁ ହେବ ଜୟ ।’’

 

ସେହି ଡାକ ଆସି ବାଜିଲା ଶ୍ରବଣ ଦେଶେ

ସଜଳ ନୟନେ ଭାଷିଲା ଜନନୀ ଶେଷେ;

‘‘ଯାଅ ରେ ପାଇକ ଯାଅ,

ସେନାପତି ତୁମ ସମ୍ମୁଖେ ଏଇ–

କୀରତିଟି ତାର ଗାଅ ।’’

 

ସେନାପତି କାହିଁ ଦୂର କାଠଯୋଡ଼ୀ କୂଳେ

ଶୋଇଚି ପୁଲକେ ବାଲୁକା ଧୂଳିର ତୁଲେ ।

ବହୁ ଦୂରେ ଆମ ନୟନେ ଝଳିଲା ଛବି

ତିମିର କଟାଇ ଜଳିଲା ଜୀବନ-ରବି ।

 

 

ନାଚିଲା ଶୋଶିତ-ଧାରା,

ମରି ଆମେ ଆଜି ଶମାଇଦେବୁ ରେ

ମହାରୁ ମରଣ-ଜାଳା ।

Image

 

ପୀର୍‌ଆଲୀ

(କୁଞ୍ଜବିହାରୀ ଦାଶ)

 

ବିଦ୍ରୋହୀ ସିପାହୀ-ନେତା ପୀର୍‍ଅଲୀ ଫିରିଙ୍ଗିର ହାତେ

ବନ୍ଦୀ ହୋଇ ଚଢ଼ିଥିଲେ ଫାଶି କେଉଁ ଦୁର୍ଦ୍ଦିନ ପ୍ରଭାତେ ।

କହିଲେ ଶ୍ୱେତାଙ୍ଗ-ନେତା ଗବ ସ୍ୱରେ ବିଦ୍ରୁପ ମିଶାଇ

‘‘ଦୁର୍ଲ୍ଲଭ ମାନବ ଜନ୍ମ ଜୀବନରୁ ବଡ଼ କିଛି ନାହିଁ ।

ଆଗେ ଦେଖ ଫାଶି-କାଠ, ରକ୍ତ ନେତ୍ରେ ଚାହିଁଚି ମରଣ,

ଫିରିଙ୍ଗି ଇସ୍ପାତ ମୁଷ୍ଟି ତଳେ ଦେଖ ତୁମର ଜୀବନ ।

ଏବେ ବି ସମୟ ଅଛି–

ନାମ ବୋଲ ଅନ୍ୟ ବିଦ୍ରୋହୀର

ଭୋଗିବ ସମ୍ପଦ ସୁଖ ସ୍କନ୍ଧେ ରଖି ଗର୍ବୋନ୍ନତ ଶିର ।’’

 

ଲୌହ-କଡ଼ି ତୀବ୍ର ଚାପେ ଝର ଝରଇ ଶୋଣିତ

ନିର୍ଭୀକ ବଦନୁଝରେ ଜନ୍ମଭୂମି-ମୁକତି-ସଙ୍ଗୀତ ।

ଉତ୍ତରିଲେ ପୀର୍‍ଆଲୀ,’’ ରେ ଫିରିଙ୍ଗି, ହୋଇ ଯେ ସ୍ୱାଧୀନ

ବୁଝେ ନାହିଁ ଦାସତ୍ୱର ଦୁଃଖ ନିଜେ ସେଇ ପରଧୀନ ।

ଖଡ଼୍ଗ ବଳେ ଜିଣି ବହୁ ରାଜ୍ୟ ଛାର ମୃତ୍ତିକା ବିକାର

କରିଛୁ କି ରେ ଫିରିଙ୍ଗି ପୀର୍‍ଆଲୀ ହୃଦ ଅଧିକାର ?

 

ଝୁଲାଇବୁ, ଝୁଲା ମୋତେ ଫାଶି କାଠେ ନାହିଁ ତଳେ ଭୟ ।

ପାରିବୁ କି ଝୁଲାଇ ତୁ ଜନ୍ମଭୂମି ଆଦର୍ଶ ନିଚୟ ?

ଆଜି ମୃତ୍ୟୁ ମୃତ୍ୟୁ ନୁହେଁ ଜୀବନର ଅନନ୍ତ ଉତ୍ସବ

ମରି ଚିର ବଞ୍ଚିବାର ଏ ସୁଯୋଗ ଜଗତେ ଦୁର୍ଲ୍ଲଭ ।

ମୋର ରକ୍ତ ବିନ୍ଦୁ ବିନ୍ଦୁ ଝରିବ ଯେ ଜନ୍ମଭୂମି ପାଦେ

ଜନ୍ମିବେ ମୁକ୍ତିର ରକ୍ତବୀର୍ଯ୍ୟଦଳ ତହୁଁ ମହାହରାଦେ ।

ବନ୍ଧୁକ ତୋ କରି କ୍ଳୀବ ବିଦ୍ରୁପ ତୋ ଦେବେ ରେ ନିଭାଇ

ଦୁର୍ଜ୍ଜୟ ମୋ ଆତ୍ମା ସ୍ୱର୍ଗେ ସୁଖୀ ହେବ ଜାତି-ମୁକ୍ତି ଚାହିଁ ।’’

Image

 

ବୀରମାତା

(କ୍ଷିତୀଶ ଚନ୍ଦ୍ର ଦେ)

 

ନେତାଜି ସମୀପେ ଖବର ଆସିଲା

କାନ୍ଦଇ ନାରୀ ଜଣେ

ଗୋଟିଏ ମାତ୍ର ପୁତ୍ର ତାହାର

ମରିଛି ସେଦିନ ରଣେ ।

ଶୁଣି ଏ ବାରତା, ଦେଖିଲେ ନେତାଜି

ଶିବିରୁଁ ବାହାରେ ଆସି

ଦୁଃଖିନୀ ଏକ ରମଣୀ-ନୟନୁ

ଅଶ୍ରୁ ଯାଉଛି ଭାସି ।

କୋମଳ କଣ୍ଠେ ସାନ୍ତ୍ୱନା ସ୍ୱରେ

ନେତାଜି କହିଲେ,‘‘ମାତ,

ବୀର ପରି ଯେହୁ ମରିଛି, ତା ପାଇଁ

ନ କର ଅଶ୍ରୁପାତ ।

ଭାଗ୍ୟବାନ ସେ, ଦେଇଛି ଜୀବନ

ଦେଶର ମୁକ୍ତି ଲାଗି,

 

ନ କର ଜନନୀ, ଶୋକ ତାହା ପାଇଁ

ସେ ଯେ ଦେବାଶିଷ-ଭାଗୀ ।

ମୃତ୍ୟୁ-କବଳୁଁ କାହାରି ତ ଭବେ

ନିସ୍ତାର କେବେ ନାହିଁ,

ସେହୁ ଏକା ଜଣେ ବରେ ଯେ ମୃତ୍ୟୁ

ଦେଶ-କଲ୍ୟାଣ ପାଇଁ ।

ତା ଛଡ଼ା ଜନନୀ, ମୁଁ ପରା ରହିଛି

ତୁମ ପୁଅ ଏକ ଆଉ,

ଟାଣି ନିଅ ମତେ, ଶୂନ୍ୟ ତୁମର

କୋଳ ପୁଣି ଭରିଯାଉ ।’’

କହିଲା ରମଣୀ ଅଞ୍ଚଳେ ପୋଛି

ଲୋତକ ନୟନୁ ବେନି

‘‘ଜାଣିଛୁ କି ପୁଅ, କାନ୍ଦୁଥିଲି ମୁଁ

କି ବେଦନା ପ୍ରାଣେ ଘେନି ?

ପୁତ୍ର-ମରଣେ ଦୁଃଖ ନ ଥିଲା

ମରିଛି ସେ ଦେଶ ପାଇଁ,

ଦୁଃଖ ଏତିକି, ଦାଶ ସେବା ଲାଗି

ଦ୍ୱିତୀୟ ପୁତ୍ର ନାହିଁ ।

କୋହିମା ପ୍ରାନ୍ତେ ଯୁଦ୍ଧ ଲାଗିଛି

ବାହିନୀ ଚାଲିଛି ସେଠି,

ଆଉ କେହି ନାହିଁ, କାହାକୁ ଦେବି ମୁଁ

ଫଉଜେ ତୋହର ଭେଟି ?’’

ବିସ୍ମୟ-ମୂକ ରହିଲେ ନେତାଜି,

କହିଲେ ଏତିକି ଧୀରେ,

‘‘ଧନ୍ୟ ଜନନୀ, ବୀର –ପ୍ରସବିନୀ

ପଦ ଧୂଳି ଦିଅ ଶିରେ ।’’

Image

 

ଟିପ୍ପଣୀ

 

ହରିଜନ

United Pressର Tragic death of sweeper Woman, Patna, June 12ର ଏକ କ୍ଷୁଦ୍ର ସଂବାଦ ପରେ ‘ହରିଜନ ‘ଲିଖିତ ।

 

ନାପିତୁଣୀର ଗାନ୍ଧୀପୂଜା

ଇଂରେଜୀ ହରିଜନ ପତ୍ରିକାରୁ କଥା ସଂଗୃହୀତ ।

 

ମରି ନାହିଁ ସେ ତ ମରଣ-ଜୟୀ

ଶ୍ରୀଯୁକ୍ତ ଦ୍ୱିଜେନ୍ଦ୍ର ଲାଲ ନିୟୋଗୀଙ୍କର True tales of Indian Life ନାମକ ପୁସ୍ତକରେ ପ୍ରକାଶିତ ‘ସନାତନ’ର କରୁଣ ।

କଥା ଏ କବିତାର ମେରୁଦଣ୍ଡ ।

 

ସାଧବ ଝିଅର ଗୋଟିଏ କଥା

ଲେଖକ ‘ସାଧବ ଝିଅର ଗୋଟିଏ କଥା ‘‘ପୁଷ୍ପ‘‘କୁ ଶୁଣାଇଛନ୍ତି ।

 

ବାଜି ରାଉତର ମାଆ

ଏହି କବିତାଟି ବାଜି ରାଉତ ଶିରୋନାମାରେ ସହକାରରେ ପ୍ରକାଶିତ ହୋଇଥିଲା ।

 

ଢେଙ୍କାନାଳର ପ୍ରଜା ଆନ୍ଦୋଳନରେ ବହୁଲୋକ ଗୁଳିରେ ହତାହତ ହୋଇଥାନ୍ତି । ୧୯୩୮ର ଡିସେମ୍ୱର ୨ ତାରିଖରେ ମୋଗଲବନ୍ଦୀରୁ ପ୍ରଥମ ସତ୍ୟାଗ୍ରହ ସେନା ଚାଲିଲେ । ଲେଖକ ସେହି ଦଳର ସୈନିକ । ଲେଖକ ଶହୀଦ ବାଜି ରାଉତର ମାତାଙ୍କ ସଙ୍ଗେ କଥାବାର୍ତ୍ତା କରିଥିଲେ । ବୀରଜନନୀର ବାଣୀ ଏ କବିତାର ଜନନୀ ।

 

କାଠଯୋଡ଼ି କୂଳରେ ଅନ୍ୟାନ୍ୟ ଶହୀଦ୍‍ଙ୍କ ସଙ୍ଗରେ ବାଜି ରାଉତର ଶବ ସତ୍କାର ହୋଇଥିଲା ।

 

ପୀର୍‌ଆଲୀ

୧୮୫୭ ସିପାହୀ ବିଦ୍ରୋହରେ ପୀର୍ ଆଲୀ ଥିଲେ ଜଣେ ନେତା । ବହୁ ଶ୍ୱତାଙ୍ଗ ବଧ କରି ସରକାରଙ୍କ ଦ୍ୱାରା ଧରା ହେଲେ, ତାଙ୍କର ଫାସି ହୁକୁମ ହେଲା । ଫାସି ଦେବା ସମୟରେ ରାଜ କମଚାରୀ ଅନ୍ୟ ବିଦ୍ରେହୀଙ୍କ ନାମ କହି ଦେଲେ ତାଙ୍କୁ ମୁକ୍ତ କରି ଦେବେ ବୋଲି ପ୍ରଲୋଭନ ଦେଖାଇଲେ । ପୀର୍ ଆଲୀ ପ୍ରାଣ ଦେଲେ ମାତ୍ର ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା କଲେ ନାହିଁ ।

Image